27.1 C
Bhubaneswar
Friday, October 18, 2024
Homeଓଡିଶାଆରମ୍ଭହେଲା ମହାପଞ୍ଚକ, ଶ୍ରୀକ୍ଷେତ୍ର ଲୋକାରଣ୍ୟ: ଯୋଗନିଦ୍ରାରୁ ଉଠିଲେ ଶ୍ରୀହରି

ଆରମ୍ଭହେଲା ମହାପଞ୍ଚକ, ଶ୍ରୀକ୍ଷେତ୍ର ଲୋକାରଣ୍ୟ: ଯୋଗନିଦ୍ରାରୁ ଉଠିଲେ ଶ୍ରୀହରି

ପୁରୀ:ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକମାସର ମହାପଞ୍ଚକ । ଦୀର୍ଘ ଦୁଇ ବର୍ଷର କରୋନା କଟକଣା ହଟିଯିବା ପରେ ଲୋକାରଣ୍ୟ ହୋଇଉଠିଛି ଶ୍ରୀକ୍ଷେତ୍ର । ଏହି ଅବସରରେ ଆଜି ସକାଳୁ କାର୍ତ୍ତିକ ବ୍ରତଧାରୀମାନେ ସମୁଦ୍ର କୂଳରେ ଓ ବଡ଼ଦାଣ୍ଡରେ ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ପଞ୍ଚୁକର ପ୍ରଥମ ଦିନ ବଡ଼ ଏକାଦଶୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରଥମ ଦିବସରେ ଶୁକ୍ରବାର ଶ୍ରୀମନ୍ଦିରରେ ହରିଉତ୍ଥାପନ ଏକାଦଶୀ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ଶ୍ରୀହରି ନାରାୟଣ ଯୋଗନିଦ୍ରାରୁ ଉଠିଥିଲେ । ଆଷାଢ଼ ଶୁକ୍ଳ ଏକାଦଶୀ ରଥଯାତ୍ରା ସମୟରେ ମହାପ୍ରଭୁ ଯୋଗନିଦ୍ରା ଯାଇଥିଲେ । ଏହି ଅବସରରେ ଶ୍ରୀଜିଉଙ୍କ ଲକ୍ଷ୍ମୀନାରାୟଣ ବେଶ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ପଞ୍ଚକ ବ୍ରତର ୫ ଦିନରେ ଚତୁର୍ଦ୍ଧାମୂର୍ତ୍ତି ୫ପ୍ରକାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନଦେବେ । ଆସନ୍ତାକାଲି ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ବାଙ୍କଚୂଡ଼ ତଥା ବାମନବେଶ ସହିତ ଗରୁଡ଼ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ରବିବାର ତ୍ରିବିକ୍ରମବେଶ, ସୋମବାର ଲକ୍ଷ୍ମୀନୃସିଂହବେଶ ଏବଂ ଶେଷଦିନ ତଥା କାର୍ତ୍ତିକପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଅନ୍ୟପଟେ ଶୁକ୍ରବାର ଚାରିଟି ଧାଡ଼ିରେ ବାରିକେଡିଂ ଦେଇ ଯାଉଥିବା ଶ୍ରଦ୍ଧାଳୁ ମାନଙ୍କୁ ଦଳ ଦଳ କରି ଶ୍ରୀମନ୍ଦିର ମଧ୍ୟକୁ ଛଡାଯାଉଥିଲା । ତେବେ ମରିଚିକୋଟ ଛକ ନିକଟରୁ ଶ୍ରଦ୍ଧାଳୁମାନେ ଚାଲି ଚାଲି ଆସିବା ବେଳେ ବିଭିନ୍ନ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥିଲେ । ଶ୍ରୀମନ୍ଦିରକୁ ବିଭିନ୍ନ ବର୍ଗର ଲୋକେ ଦର୍ଶନ କରିବାକୁ ଆସୁଥିଲେ ମଧ୍ୟ ବୟୋବୃଦ୍ଧ ଓ ପିଲାମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇନଥିଲା । ଏଥିଯୋଗୁ ଏହି ବର୍ଗର ଶ୍ରଦ୍ଧାଳୁମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇଥିଲେ ।

ଏଥିସହ ଆଜି ଏକାଦଶୀ ପଡୁଥିବାରୁ ଅନ୍ୟ ଦିନ ତୁଳନାରେ ହଜାର ହଜାର ଶ୍ରଦ୍ଧାଳୁ ଚାଲି ଆସିଥିଲେ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ । ଏଥିପାଇଁ ଦର୍ଶନାର୍ଥୀ ମାନେ ଘଣ୍ଟା ଘଣ୍ଟା ଧରି ଧାଡି ରେ ଛିଡା ହୋଇ ରହିଥିଲେ । ଅନ୍ୟପକ୍ଷରେ କାର୍ତ୍ତିକପୂର୍ଣ୍ଣମୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ୮ଡିଏସ୍‌ପି ଓ ୩ ଏଏସ୍‌ପି ସୁରକ୍ଷା ଦାୟିତ୍ୱ ସମ୍ପନ୍ନ କରିବେ । ଏଥିସହ ୩୦୦ହୋମ୍‌ଗାର୍ଡ ମଧ୍ୟ ମୁତୟନ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏଏସ୍‌ପି ମିହିର ପଣ୍ଡା । ସେହିଭଳି ମେଡିକାଲ ଛକରୁ ମାର୍କେଟ୍ ଛକ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ବାଇକ୍ ପାର୍କିଂ କରାଯିବ ।

ଜଗନ୍ନାଥବଲ୍ଲଭ ପାର୍କିଂ ଚାରିଚକିଆ ଯାନରେ ଭରିବା ପରେ ବ୍ଲୁ ଫ୍ଲାଗ୍ ପାର୍କିଂ ଓ ହାତୀଶାଳ ପାର୍କିଂକୁ ବ୍ୟବହାର କରାଯିବ । ବାହାର ରାଜ୍ୟର ବସ୍‌ଗୁଡ଼ିକ ମାଳତୀପାଟପୁର ଏବଂ ଟୁରିଷ୍ଟ ବସ୍‌ଗୁଡ଼ିକ ଓଭରବ୍ରିଜ୍ ହୋଇ ତାଳବଣିଆରେ ପାର୍କିଂକରିବେ । ବ୍ରହ୍ମଗିରି ପଟୁ ଆସୁଥିବା ବସ୍‌ଗୁଡ଼ିକ ଜଟିଆ ବାଆଜୀ ଛକରୁ ଯାତ୍ରୀଙ୍କୁ ନେବାଆଣିବା କରିବ । ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ବସ୍ ପୌର ବସ୍‌ଷ୍ଟାଣ୍ଡରେ ରହିବ ବୋଲି ଟ୍ରାଫିକ ଆଇଆଇସି ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking