କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପୌର ପରିଷଦର ପୌରଧ୍ୟକ୍ଷ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ବିଜେଡିରୁ ସରିତା ସାହୁ, ବିଜେପିରୁ ମୀନାକ୍ଷୀ ଦାସ ଓ କଂଗ୍ରେସରୁ ଲକ୍ଷ୍ମୀପ୍ରିୟାଙ୍କ ସହିତ ଅନ୍ୟ ଦୁଇ ଜଣ ରଶ୍ମିତା ଓ ତୁଳସୀ ମହାରାଣା ୫ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପ୍ରାର୍ôଥପତ୍ର ଦାଖଲ ସମୟରେ ଏମାନେ ଦାଖଲ କରିଥିବା ସତ୍ୟପାଠରୁ ସେମାନଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତିର ତାଲିକା ଜଣାପଡିଛି । ବିଜେଡିରୁ ପୌରାଧ୍ୟକ୍ଷ ପ୍ରାର୍ଥୀ ହୋଇଥିବା ସରିତା ଗତ ୫ ବର୍ଷ ଭିତରେ ୬୫ ଲକ୍ଷ ୧୮ ହଜାର ୩୨୭ ଟଙ୍କା ଆୟକର ଦେଇଥିବାବେଳେ ତାଙ୍କ ସ୍ୱାମୀ ରଞ୍ଜିତ ସାହୁ ୪ ଲକ୍ଷ ୯୯ ହଜାର ୪୩୦ ଟଙ୍କା ଓ ୪ ଲକ୍ଷ ୯୭ ହଜାର ୩୦୦ ଟଙ୍କା ଆୟକର ଦେଇଛନ୍ତି ।
ସେହିପରି ସରିତାଙ୍କ ନାମରେ ଅର୍ବାନ ବ୍ୟାଙ୍କରେ ୩ ଲକ୍ଷ ୯୫ ହଜାର ୪୫୦ ଟଙ୍କା, ୟୁନିଅନ୍ ବ୍ୟାଙ୍କରେ ୭୩ ହଜାର ୬୪୮ ଟଙ୍କା, ଏସବିଆଇରେ ୮ ଲକ୍ଷ ୭୮ ହଜାର ୮୨୮ ଟଙ୍କା, ଆନ୍ଧ୍ର ବ୍ୟାଙ୍କରେ ୧୮ ହଜାର ୯୧୫ ଟଙ୍କା, ଅର୍ବାନ ବ୍ୟାଙ୍କରେ ୭ ଲକ୍ଷ ୮୬ ହଜାର ଫିକ୍ସ ଡିପୋଜିଟ ରହିବା ସହିତ ଆକ୍ସିସ ବ୍ୟାଙ୍କରେ ୪୧ ଲକ୍ଷ ୨୯ ହଜାର, ଏଚଡିଏଫସି ବ୍ୟାଙ୍କରେ ୧୪ ହଜାରରୁ ଊର୍ଦ୍ଧ୍ୱ ଜମା ରହିଥିବା ଜଣାପଡିଛି । ଏଥି ସହିତ ୧୦ ଲକ୍ଷରୁ ଅଧିକ ଟଙ୍କାର ବୀମା ଥିବାବେଳେ ସେମାନଙ୍କ ନିକଟରେ ପ୍ରାୟ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏକ ଦାମୀ କାର ରହିଛି । ଏଥି ସହିତ ୩୨୦ ଗ୍ରାମର ସୁନା, ୨୦୦ ଗ୍ରାମ ରୂପା ଅଛି । ଏ ସବୁର ମୂଲ୍ୟ ପ୍ରାୟ ୧ କୋଟି ୨୦ ଲକ୍ଷ ୬୩ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଏଥି ସହିତ ରଞ୍ଜିତଙ୍କ ନାମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜମି ଓ ଘର ରହିଛି ଯାହାର ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା ହେବ ବୋଲି ସେ ଦର୍ଶାଇଛନ୍ତି । ସରିତା ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୫୫ ଲକ୍ଷ ଟଙ୍କାର ଋଣ କରିଥିବା ଦର୍ଶାଇଛନ୍ତି । ସରିତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଏଏଲଏଲବି ।
କଂଗ୍ରେସ ପ୍ରାର୍ôଥନୀ ଲକ୍ଷ୍ମୀପ୍ରିୟା ବାରିକଙ୍କ ନିକଟରେ ନଗଦ ୨୦ ହଜାର ଟଙ୍କା ଓ ସ୍ୱାମୀ ଗୋପୀନାଥଙ୍କ ନାମରେ ୨୦ ହଜାର ନଗଦ ରାଶି ରହିଥିବା ସତ୍ୟପାଠରେ ଦର୍ଶାଯାଇଛି । ଏଥିସହିତ ୟୁନିଅନ୍ ବ୍ୟାଙ୍କରେ ୮ ହଜାର ୪୨୦ ଟଙ୍କା, କଟକ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କରେ ୧୪ ହଜାର ୩୧୭ ଟଙ୍କା, ଅର୍ବାନ ବ୍ୟାଙ୍କରେ ୬୯ ହଜାର ୯୭୫ ଟଙ୍କା, କାନାରା ବ୍ୟାଙ୍କରେ ୩୬ ହଜାର ୨୬୪ ଟଙ୍କା ଓ ଏସବିଆଇ ବ୍ୟାଙ୍କରେ ୬୩ ହଜାର ୫୫୭ ଟଙ୍କା ସହିତ ପୋଷ୍ଟାଲରେ ୧ ଲକ୍ଷ ୨୭ ହଜାର ୬୦୦ ଟଙ୍କା ରହିଥିବା ଜଣାପଡିଛି । ୩୦ ଗ୍ରାମ ସୁନା, ୪୦ ଗ୍ରାମ ରୂପା ଥିବା ସେ ଦର୍ଶାଇଛନ୍ତି । ମୋଟ ଉପରେ ଲକ୍ଷ୍ମୀପ୍ରିୟାଙ୍କ ନାମରେ ୫ ଲକ୍ଷ ୩୦ ହଜାର ଟଙ୍କା ଥିବା ସେ ଉଲ୍ଲେଖ କରିଛନ୍ତି । ସେ ଦଶମ ଯାଏ ପାଠ ପଢିଥିବା ଜଣାପଡିଛି ।
ବିଜେପି ପ୍ରାର୍ôଥନୀ ମିନାକ୍ଷୀ ଦାସଙ୍କ ନିକଟରେ ବିଭିନ୍ନ ବ୍ୟାଙ୍କ, ବୀମାରାଶି, ପୋଷ୍ଟାଲ ଆଦିରେ ୯ ଲକ୍ଷ ୯୦ ହଜାର ଟଙ୍କା ଥିବା ଦର୍ଶାଇଛନ୍ତି । ଏଥି ସହିତ ୩୦ ଗ୍ରାମ ସୁନା ଓ ୫୦ ଗ୍ରାମ ରୂପା ନିଜ ପାଖରେ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ବିଏସପି ରୁ ପ୍ରାର୍ଥୀ ହୋଇଥିବା ରଶ୍ମିତା ନାୟକଙ୍କ ପାଖରେ କୌଣସି ସ୍ଥାବର ଅସ୍ଥାବର ସମ୍ପତ୍ତି ନାହିଁ । ମାତ୍ର ନବମ ଶ୍ରେଣୀ ଯାଏ ପାଠ ପଢିଥିବା ରଶ୍ମିତାଙ୍କ ମାସିକ ରୋଜଗାର ମାତ୍ର ୧୦୦୦ ଟଙ୍କା ବୋଲି ସେ ଦର୍ଶାଇଛନ୍ତି । ଅନ୍ୟ ଜଣେ ପ୍ରାର୍ôଥନୀ ତୁଳସୀ ମହାରଣା ଜଣେ ଗ୍ରାଜୁଏଟ ଓ ପେଷାରେ ଓକିଲ । ତାଙ୍କ ପାଖରେ ନଗଦ ୨୦ ହଜାର ଟଙ୍କା ଓ ସ୍ୱାମୀଙ୍କ ପାଖରେ ୫୦ ହଜାର ଟଙ୍କା ଥିବା ଦର୍ଶାଇବା ସହିତ କୌଣସି ସମ୍ପତ୍ତି କିମ୍ବା ସୁନା ରୂପା ନଥିବା କଥା ସତ୍ୟପାଠରେ ଜଣାଇଛନ୍ତି ।