33.1 C
Bhubaneswar
Saturday, October 5, 2024
Homeଓଡିଶାପଲିଥିନ୍ ତଳେ କଟୁଛି ମା’ପୁଅଙ୍କ ଜୀବନ

ପଲିଥିନ୍ ତଳେ କଟୁଛି ମା’ପୁଅଙ୍କ ଜୀବନ

ଭଦ୍ରକ: କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ଯାଏଁ ବାସଗୃହ ଯୋଜନାକୁ ସଫଳ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ସୁଦ୍ଧା ତାହା ସଠିକ୍ ଲୋକ ପାଖରେ ପହଞ୍ଚି ପାରୁନାହିଁ । ସାଧାରଣ ଗରିବ, ଅସହାୟ, ବିଧବା ଓ ଶ୍ରମିକ ଶ୍ରେଣୀ ଲୋକଙ୍କ ପାଇଁ ବାସଗୃହ ଯୋଜନା ପ୍ରଯୁଜ୍ୟ ଥିବା ବେଳେ ଆଜି ବି ଅନେକ ଏଥିରୁ ବଞ୍ଚିତ ହେଉଛନ୍ତି । ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ସରସଦା ପଞ୍ଚାୟତ ଏକବୋଲା ଗ୍ରାମରେ । ଗ୍ରାମର ମୀନକେତନ ସାହୁ ରୋଗଗ୍ରସ୍ତ ହୋଇ ପାଞ୍ଚ ଛଅ ବର୍ଷ ହେବ ମୃତ୍ୟୁବରଣ କରିଥିବା ବେଳେ ଏବେ ତାଙ୍କ ପତ୍ନୀ ମମତା ଓ ଛୋଟ ପୁଅ ପଲିଥିନ ଘରେ ବାସ କରୁଛନ୍ତି । ସ୍ୱାମୀ ଆରପାରିକୁ ଚାଲିଯିବା ପରେ ମମତା ଏବେ ପୁଅ ମୁହଁକୁ ଚାହିଁ ଜୀବନ ଅତିବାହିତ କରୁଛନ୍ତି । ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିବା ଏହି ପରିବାରକୁ ସରକାରୀ ଭାବେ ତାଙ୍କୁ ବିଧବା ଭତ୍ତା ଓ ରାସନ କାର୍ଡରେ ଚାଉଳ ଗଣ୍ଡାଏ ମିଳୁଥିଲେ ସୁଦ୍ଧା ଏଥିରେ ତାଙ୍କ ପାଇଁ ଚଳିବା କଷ୍ଟକର ହୋଇପଡୁଛି ।

ଏଥିପାଇଁ ପର ଘରେ କାମଧନ୍ଦା ମଧ୍ୟ କରୁଛନ୍ତି । ପୁଅର ପ୍ରାଥମିକ ପାଠପଢ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଅର୍ଥ ନିଅଣ୍ଟ ପଡୁଥିବା ବେଳେ ବାସଗୃହ ଖଣ୍ଡେ ନିର୍ମାଣ ପାଇଁ ସେ ଏବେ ଭାବି ପାରୁନାହାନ୍ତି । ତେଣୁ ପଡ଼ୋଶୀଙ୍କ କିଛି ସହାୟତା ଓ ମାଗିଯାଚି ନୁଆଁଣିଆ ଛପର ଘରଟିଏ ନିର୍ମାଣ କରି ସେଥିରେ ପଲିଥିନ ଘେରାଇ ମା’ପୁଅ ଦୁହେଁ ଜୀବନ କାଟୁଛନ୍ତି । ସରକାରଙ୍କ ଯେକୌଣସି ବାସଗୃହ ଯୋଜନା ଏହିଭଳି ଅସହାୟ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ଥିଲେ ସୁଦ୍ଧା ତାହା ସତେ ଯେମିତି ମମତାଙ୍କ ପାଇଁ ସଦୁର ପ୍ରସାରୀ ହୋଇଯାଇଛି । ତେଣୁ ସ୍ଥାନୀୟ ପଞ୍ଚାୟତ କିମ୍ବା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବା ସହ ମା’ପୁଅଙ୍କୁ ବାସଗୃହ ଖଣ୍ଡିଏ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking