25.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶ‘ଦ କେରଳ ଷ୍ଟୋରି’ ଚଳଚ୍ଚିତ୍ର ବିବାଦ; ସୁପ୍ରିମକୋର୍ଟରେ ପିଟିସନ ଖାରଜ

‘ଦ କେରଳ ଷ୍ଟୋରି’ ଚଳଚ୍ଚିତ୍ର ବିବାଦ; ସୁପ୍ରିମକୋର୍ଟରେ ପିଟିସନ ଖାରଜ

ନୂଆଦିଲ୍ଲୀ: ସୁଦୀପ୍ତ ସେନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’କୁ ନେଇ ବିବାଦର ସୂତ୍ରପାତ ହୋଇଛି । ଚଳିତମାସ ୫ରେ ଏହା ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଚଳଚ୍ଚିତ୍ରରେ ଆପତ୍ତିଜନକ ବିଷୟବସ୍ତୁ ଥିବାରୁ ଏହାର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଯେଉଁ ପିଟିସନ ଦାଏର କରାଯାଇଥିଲା, ତାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓ ଜଷ୍ଟିସ ପି.ଏସ.ନରସିଂହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପିଟିସନଧାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅବଶ୍ୟ କେରଳ ହାଇକୋର୍ଟରେ ଅନୁରୂପ ପିଟିସିନ ଦାଏର ହୋଇଥିବାବେଳେ ଏହାର ଶୁଣାଣି ମେ’ ୫କୁ ଧାର୍ଯ୍ୟ କରାଯାଇଛି । ତେବେ ଉକ୍ତ ଦିନ ଚଳଚ୍ଚିତ୍ରଟି ରିଲିଜ୍ ହେଉଥିବାରୁ ପିଟିସନ ଗୁରୁତ୍ୱ ହରାଇପାରେ ବୋଲି ଆବେଦନକାରୀଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ଜବାବରେ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ ହାଇକୋର୍ଟରେ ଏକାଧିକ ଅଭିଜ୍ଞ ବିଚାରପତି କାର୍ଯ୍ୟରତ ଅଛନ୍ତି । ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧୀ କରି ସେମାନେ ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି ଖଣ୍ଡପୀଠ କହିଛନ୍ତି । ‘ଦ କେରଳ ଷ୍ଟୋରି’ର ବିଷୟବସ୍ତୁକୁ ନେଇ ବିଭିନ୍ନ ମହଲରେ ଆପତ୍ତି ଉଠିଛି । ବଳପୂର୍ବକ ଧର୍ମାନ୍ତରୀକରଣ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ସେନ୍‌ସର ବୋର୍ଡ ‘ଏ’ ସାର୍ଟିଫିକେଟ ଦେଇଥିବାବେଳେ ୧୦ଟି ଦୃଶ୍ୟକୁ ବାଦ ଦେଇଛନ୍ତି ।

କେରଳରେ ୩୨ ହଜାର ମହିଳାଙ୍କୁ ଜବରଦସ୍ତି ଇସଲାମ ଧର୍ମରେ ଦୀକ୍ଷିତ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶକୁ ଆଇଏସ୍‌ଆଇଏସ୍ ଆତଙ୍କବାଦୀଙ୍କ ଅଭୟାରଣ୍ୟ କୁହାଯାଉଥିବା ସିରିୟା ପଠାଯାଇଛି ବୋଲି ଚଳଚ୍ଚିତ୍ରରେ ଦର୍ଶାଯାଇଛି । ଏହି ଚଳଚ୍ଚିତ୍ରର ଟିଜର ଉନ୍ମୋଚିତ ହେବାପରେ ସୁପ୍ରିମକୋର୍ଟ ସମେତ କେରଳ ହୋଇକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଥିଲା । ଚଳଚ୍ଚିତ୍ରରେ ଘୃଣ୍ୟ ଭାଷଣ ଏବଂ ଅଭିଓ-ଭିଜୁଆଲ ପ୍ରୋପାଗଣ୍ଡାକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ଏହାର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ପିଟିସନଧାରୀ ଦାବି କରିଛନ୍ତି ।

କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏହି ଚଳଚ୍ଚିତ୍ରକୁ ଘୋର ବିରୋଧ କରିବା ସହ ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଗଠନର ଏହା ଏକ ପ୍ରଚାରଧର୍ମୀ ଅଭିଯାନ ବୋଲି ଆକ୍ଷେପ କରିଛନ୍ତି । କେରଳର କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ଚଳଚ୍ଚିତ୍ରକୁ ତୀବ୍ର ସମାଲୋଚନା କରିଛନ୍ତି । କେରଳର ବାସ୍ତବ ଚିତ୍ର ଭିନ୍ନ ହୋଇଥିବାବେଳେ ଚଳଚ୍ଚିତ୍ରରେ ଏହାକୁ କଦର୍ଯ୍ୟଭାବେ ଉପସ୍ଥାପନ କରାଯାଇଥିବା ସେ କହିଛନ୍ତି । କେରଳରେ ୩୨ ହଜାର ମହିଳାଙ୍କର ଧର୍ମାନ୍ତରୀକରଣ କରାଯାଇଥିବା ପ୍ରସଙ୍ଗରେ ଯେଉଁ ବ୍ୟକ୍ତି ସଠିକ୍ ପ୍ରମାଣ ଦେବେ, ତାଙ୍କୁ ୧ କୋଟି ଟଙ୍କାର ପୁରସ୍କାର ଦେବାକୁ ଥରୁର୍ ଘୋଷଣା କରିଛନ୍ତି ।

ଅପରପକ୍ଷରେ ଚଳଚ୍ଚିତ୍ରର ବିଷୟବସ୍ତୁ ସତ୍ୟ ଘଟଣା ଉପରେ ପର୍ଯ୍ୟବସିତ ବୋଲି ନିର୍ଦ୍ଦେଶକ ସୁଦୀପ୍ତ ସେନ ଓ ପ୍ରଯୋଜକ ବିପୁଲ ଅମୃତଲାଲ ଶାହା ଦାବି କରିଛନ୍ତି । ୩୨ ହଜାର କେବଳ ଏକ ସଂଖ୍ୟାଭାବେ ଉପସ୍ଥାପନ କରାଯାଇଛି । ଏହି ସଂଖ୍ୟା କମ ହୋଇଥିଲେ ସୁଦ୍ଧା ଧର୍ମାନ୍ତରୀକରଣ ହେଉଥିବା ଘଟଣା ସମସ୍ତେ ଜାଣିଛନ୍ତି ବୋଲି ସେମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking