29.1 C
Bhubaneswar
Friday, April 3, 2026
Homeଓଡିଶାଅନୁଗୁଳ ମହିଳା ହାବିଲଦାର ନିର୍ଯ୍ୟାତନା ପ୍ରସଙ୍ଗ ଓଡ଼ିଶାର ସରକାରୀ ବ୍ୟବସ୍ଥାରେ କାର୍ଯ୍ୟରତ ମହିଳାଙ୍କ ପରିସ୍ଥିତି ସଂପର୍କରେ...

ଅନୁଗୁଳ ମହିଳା ହାବିଲଦାର ନିର୍ଯ୍ୟାତନା ପ୍ରସଙ୍ଗ ଓଡ଼ିଶାର ସରକାରୀ ବ୍ୟବସ୍ଥାରେ କାର୍ଯ୍ୟରତ ମହିଳାଙ୍କ ପରିସ୍ଥିତି ସଂପର୍କରେ ସ୍ପଷ୍ଟ ସୂଚନା ଦେଉଛି : ମିନାକ୍ଷୀ ବାହିନୀପତି

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷିବାହିନୀପତି କହିଲେ ଯେ ଅନୁଗୁଳ ମହିଳା ହାବିଲଦାର ନିର୍ଯ୍ୟାତନା ପ୍ରସଙ୍ଗ ଓଡ଼ିଶାର ସରକାରୀ ବ୍ୟବସ୍ଥାରେ କାର୍ଯ୍ୟରତ ମହିଳାଙ୍କ ପରିସ୍ଥିତି ସଂପର୍କରେ ସ୍ପଷ୍ଟ ସୂଚନା ଦେଉଛି । ସରକାରୀ ଓ ବେସରକାରୀ କର୍ମକ୍ଷେତ୍ରରେ ମହିଳାମାନେ ଅତି ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି ବୋଲି ଅନୁଗୁଳ ମହିଳା ପୁଲିସ ହାବିଲଦାର ସୁମିତ୍ରା ବିଶ୍ୱାଳର କୋହଭରା କାହାଣୀରୁ ସ୍ପଷ୍ଟ ହୋଇପଡୁଛି । ସେ କହିଲେ ଯେ, ଆମେ ମହିଳା କଂଗ୍ରେସ ପକ୍ଷରୁ ଏକ ରାଜ୍ୟସ୍ତରୀୟ କମିଟି ଏବଂ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ଗତକାଲି ଅପରାହ୍ନରେ ଅନୁଗୁଳ ଏସ୍‌.ପି.ଙ୍କ କାର‌୍ୟ୍ୟାଳୟକୁ ଯାଇଥିଲୁ । ଏସ.ପି. ଭେଟ କରିବାକୁ ଫୋନ ଯୋଗେ କହିଥିଲେ ମାତ୍ର ପରବର୍ତ୍ତି ପର‌୍ୟ୍ୟାୟରେ କ’ଣ ପାଇଁ ମନାକଲେ ତା’ର କାରଣ ତାଙ୍କୁ ହିଁ ଜଣା । ଜଣେ ମହିଳା ଡି.ଏସ୍‌.ପିଙ୍କୁ ତଦନ୍ତ ଭାର ଦିଆଯାଇଛି ବୋଲି ଆଡିସ୍‌ନାଲ ଏସ୍‌.ପି. କହିଲେ । ଆଡିସ୍‌ନାଲ ଏସ୍‌.ପି. ଆମକୁ ପୁଣି କହିଲେ ଯେ, ପୀଡିତା ଉପଯୁକ୍ତ ଫୋରମ୍‌ରେ ଆସିନାହାନ୍ତି । ସେ ଉପଯୁକ୍ତ ଫୋରମ୍‌ରେ ଆସିଲେ ସଠିକ୍ ତଦନ୍ତ ହେବ । ଆଡିସ୍‌ନାଲ ଏସ୍‌.ପି.ଙ୍କର ଏଭଳି କଥା ଠିକ୍ ଲାଗୁନାହିଁ । ପୀଡିତା ଜଣଙ୍କ ସିଧାସଳଖ ଚାକିରୀ ଛାଡିବା ପାଇଁ ଦରଖାସ୍ତ କରିବା ପରେ ଏବଂ ତାଙ୍କ ଦରଖାସ୍ତ ପତ୍ରରେ ସ୍ୱତନ୍ତ୍ର ଭାବେ ଆଇ.ଆଇ.ସି. ଗୋବିନ୍ଦ ମାହାରି ଏବଂ ରାଇଟର ଶୁଭକାନ୍ତ ସାହୁଙ୍କ ବିରୁଦ୍ଧରେ ସ୍ପଷ୍ଟ ଭାବେ ଲେଖିବା ପରେ ଆଉ ଅଜଣା କ’ଣ ରହିଲା? ଯଦି ଜଣେ ସାଧାରଣ ମଣିଷ ବିରୁଦ୍ଧରେ ଏପରି ଅଭିଯୋଗ ହୋଇଥାନ୍ତା, ସାଙ୍ଗେ ସାଙ୍ଗେ ସେ ଗିରଫ ହୋଇଥାନ୍ତା । ଏଣୁ ଏ ରାଜ୍ୟରେ ସରକାରୀ ବାବୁଙ୍କ ପାଇଁ ଗୋଟିଏ ନିୟମ ଏବଂ ସାଧାରଣ ଜନତାଙ୍କ ପାଇଁ ଆଉ ଗୋଟିଏ ନିୟମ ଚାଲିଛି । ପୀଡିତା ଜଣକ କାନ୍ଦି କାନ୍ଦି ପୁଲିସ୍ ବିଭାଗକୁ ଏକ କଳଙ୍କିତ ବିଭାଗ ବୋଲି କହିଛନ୍ତି? ସେ ଏ ବିଭାଗରୁ ମୁକ୍ତି ଚାହାଁନ୍ତି ବୋଲି ମଧ୍ୟ କହିଛନ୍ତି? ତାଙ୍କୁ ଡାକି ଘଂଟା ଘଂଟା ଧରି ବିନା କାରଣରେ ଠିଆ କରିବା, ତାଙ୍କୁ ପାପୀ ଓ ସ୍ୱାମୀ ଛାଡିଥିବା ବୋଲି କହି ଅପମାନିତ କରିବା ଅଧିକାର ଉପରିସ୍ଥ କର୍ମଚାରୀଙ୍କର ଅଛି କି? ପୀଡିତା ସିଧାସଳଖ ଗଣମାଧ୍ୟମରେ ତାଙ୍କୁ ଏଭଳି ଅପମାନିତ କରିବା ପ୍ରକାଶ କରିଛନ୍ତି ।

ଏଠି ଆମେ ପ୍ରଶ୍ନ କରୁଛୁ କୁଆଡେ ଗଲେ ବିଜେପିର ମହିଳା ନେତ୍ରୀମାନେ । କୁଆଡେ ଗଲେ ବିଜେପି ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଯିଏ ମହିଳାମାନଙ୍କ ପ୍ରସଙ୍ଗରେ ବହୁ ବଡ ବଡ କଥା କହୁଛନ୍ତି? ଜଣେ ମହିଳା ହାବିଳଦାର ଗଣମାଧ୍ୟମରେ କାନ୍ଦୁଥିବା ବେଳେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚୀବ, ଡିଜିପି ଏବଂ ଗୃହ ବିଭାଗର ସଚୀବ ସମସ୍ତେ ନୀରବ । ପୁଲିସ ବିଭାଗରେ ଆଇ.ପି.ଏସ୍‌.ଠାରୁ କନେଷ୍ଟବଳ ପର‌୍ୟ୍ୟନ୍ତ ବହୁ ମହିଳା ଚାକିରୀ କରିଛନ୍ତି । ସୁମିତ୍ରା ବିଶ୍ୱାଳଙ୍କ କରୁଣ କାହାଣୀ ସମସ୍ତ ପାଇଁ ଏକ ଚେତାବନୀ । ସୁମିତ୍ରା ବିଶ୍ୱାଳ ଆହୁରି ମଧ୍ୟ କହିଛନ୍ତି ସେଠାରେ ଅନ୍ୟ ମହିଳା ଅତ୍ୟାଚାରରେ ଶିକାର । କିନ୍ତୁ ଭୟରେ ମୁହଁ ଖୋଲୁନାହାନ୍ତି । ଏବେ ସୁମିତ୍ରା ବିଶ୍ୱାଳଙ୍କ ଉପରେ ଚାପ ପକାଇ ଦିଆଯାଇଛି । ଯଦି ପୁଲିସ୍ ନିଜ କାର‌୍ୟ୍ୟାଳୟରେ କାର‌୍ୟ୍ୟରତ ମହିଳାଙ୍କୁ ସୁରକ୍ଷା ଦେଉନାହାନ୍ତି ତେବେ ଗ୍ରାମାଞ୍ଚଳରେ ଥିବା ମହିଳାମାନଙ୍କୁ କିଭଳି ସୁରକ୍ଷା ଦେବେ ? ବର୍ଷ ବର୍ଷ ଧରି ସୁମିତ୍ରା ବିଶ୍ୱାଳ ଏହି ଅତ୍ୟାଚାରରେ ଶିକାର ହୋଇଛନ୍ତି । ଉପର ଅଫିସରଙ୍କ ପାଖରେ ଏ ଖବର କିପରି ନ ଥିଲା ବା ଖବର ଜାଣି ସେ ଏହାକୁ ଚପାଇ ଦେଉଥିଲେ । ନିଜେ ପୀଡିତା କହିଛନ୍ତି ବିଭାଗ ପକ୍ଷରୁ ସେ ନ୍ୟାୟ ପାଇବାରେ ଆଶା ରଖିନାହାନ୍ତି । ତେଣୁ ଏକ ଅବସରପ୍ରାପ୍ତ ଜଜଙ୍କ ଦ୍ୱାରା ହାଇକୋର୍ଟଙ୍କ ତତ୍ୱାବଧାନରେ ଏହି ଘଟଣାର ତଦନ୍ତ କରାଯାଉ ବୋଲି ଆମେ ଦାବି କରୁଛୁ । ତୁରନ୍ତ ଦୁଇ ଜଣ କର୍ମଚାରୀଙ୍କୁ ନିଳମ୍ବିତ କରାଯାଉ ।

ମୁଁ ଏଠାରେ କହିବାକୁ ଚାହେଁ ଯେ ମୋହନ ସରକାର ସବୁବେଳେ ମହିଳା ସୁରକ୍ଷା କଥା କହୁଛନ୍ତି । ନିକଟରେ ଏନ୍‌.ସି.ଆର.ବି. ରିପୋର୍ଟ ଅନୁସାରେ ଭୁବନେଶ୍ୱରରେ ଗତ ୨୦୨୫ ମସିହାରେ ଗଣବଳତ୍କାର ଦୁଇଗୁଣା ବଢ଼ି ଓଡ଼ିଶାରେ ତୃତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ମୟୁରଭଞ୍ଜ, ଦ୍ୱିତୀୟ ସ୍ଥାନରେ କେନ୍ଦୁଝର ଓ ଭଦ୍ରକ । ଏଣୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ରହୁଛନ୍ତି । ଭୁବନେଶ୍ୱର ତୃତୀୟ ସ୍ଥାନରେ ରହିଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ଘର କେନ୍ଦୁଝର ଦ୍ୱିତୀୟ ସ୍ଥାନରେ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଶଶୁର ଘର ମୟୁରଭଞ୍ଜ ପ୍ରଥମ ସ୍ଥାନରେ ରହିଛି । ସୁତରାଂ ଗୃହ ବିଭାଗ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଭାବରେ ଅକ୍ଷମ । ଯଦି ସୁମିତ୍ରା ବିଶ୍ୱାଳଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳେ ମହିଳା କଂଗ୍ରେସ ଲଢ଼େଇ ଜାରି ରଖିବ । ଏହି ସାମ୍ବାଦିକ ସମ୍ମିଳନୀରେ ଜୟଶ୍ରୀ ପଟ୍ଟନାୟକ, ଜୟସ୍ମିତା ମହାନ୍ତି, ଜୟଶ୍ରୀ ପାତ୍ର ଓ ବିଭୁତି ଭୂଷଣା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking