ମୁମ୍ବାଇ: ଚଳିତ ବର୍ଷ ପୁରୁଷ ଟି-୨୦ ବିଶ୍ୱକପ୍ ସହିତ ମହିଳା ଟି-୨୦ ବିଶ୍ୱକପ୍ ମଧ୍ୟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଟୁର୍ଣ୍ଣାମେଣ୍ଟ୍ ବାଂଲାଦେଶରେ ଆୟୋଜିତ ହେବାକୁ ଥିବାବେଳେ ଆଇସିସି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏହାର କାର୍ଯ୍ୟକ୍ରମ ଘୋଷଣା କରାଯାଇନାହିଁ । ଏହା ମଧ୍ୟରେ ଭାରତୀୟ ମହିଳା ଟିମ୍ ଏପ୍ରିଲ୍ ଶେଷରେ ବାଂଲାଦେଶ ଗସ୍ତ କରିବ ବୋଲି ଜଣାଯାଇଛି । ସେଠାରେ ଦୁଇ ଟିମ୍ ମଧ୍ୟରେ ମଧ୍ୟରେ ଏପ୍ରିଲ୍ ୨୮ରୁ ମେ ୯ ତାରିଖ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ପକ୍ଷରୁ ଘୋଷଣା କରାଯାଇଥିବା ଏହି ଯାତ୍ରା କାର୍ଯ୍ୟକ୍ରମ ଅନୁସାରେ ଟିମ୍ ଇଣ୍ଡିଆ ଏପ୍ରିଲ୍ ୨୩ରେ ବାଂଲାଦେଶ ପହଞ୍ଚିବ ଏବଂ ମେ ୧୦ରେ ସ୍ୱଦେଶ ଫେରିବ । ସିରିଜ୍ର ପ୍ରଥମ ମ୍ୟାଚ୍ ଦିବା-ରାତ୍ର ବିଶିଷ୍ଟ ହେବ ଏବଂ ଏପ୍ରିଲ୍ ୨୮ ତାରିଖରେ ଖେଳାଯିବ । ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ଏପ୍ରିଲ୍ ୩୦ (ଦିବା-ରାତ୍ର), ମେ ୨, ମେ ୬ ଓ ମେ ୯ (ଦିବା-ରାତ୍ର) ତାରିଖରେ ଅନୁଷ୍ଠିତ ହେବ । ସମସ୍ତ ମ୍ୟାଚ୍ ସିଲହଟରେ ଖେଳାଯିବ । ମହିଳା ଟି-୨୦ ବିଶ୍ୱକପ୍ ପ୍ରସ୍ତୁତି ଦୃଷ୍ଟିରୁ ଭାରତୀୟ ଟିମ୍ ପାଇଁ ଏହି ସିରିଜ୍ ବହୁ ଗୁରୁତ୍ୱପୂର୍ଣ୍ଣ ।