ନୂଆଦିଲ୍ଲୀ: ଅଣସଂସଦୀୟ ଶବ୍ଦ ବିବାଦ ମଧ୍ୟରେ ସଂସଦ ଭବନ ପରିସର ଏବଂ ଏହାର ଆଖାପାଖରେ ଏବେ ଧାରଣା, ଅନଶନ, ପ୍ରଦର୍ଶନ, ହରତାଳ ଏବଂ ଧାର୍ମିକ ଅନୁଷ୍ଠାନ ଆୟୋଜନ ଉପରେ ରୋକ୍ ଲଗାଯାଇଛି । ରାଜ୍ୟସଭା ସେକ୍ରେଟାରୀ ଜେନେରାଲ୍ ପିସି ମୋଦୀଙ୍କ ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି । ଏହି ଆଦେଶ ଜୁଲାଇ ୧୪ ତାରିଖରେ ଜାରି ରାଜ୍ୟସଭା ପାର୍ଲାମେଣ୍ଟାରୀ ବୁଲେଟିନ୍ ପାଟି-୨ର ପୃଷ୍ଠା ୧୭ରେ ଉଲ୍ଲିଖିତ ହୋଇଛି । ପାର୍ଲାମେଣ୍ଟ ସିକ୍ୟୁରିଟି ସର୍ଭିସ୍ ପକ୍ଷରୁ ସଂସଦ ଭବନ ପରିସର ଏବଂ ଏହାର ଆଖପାଖରେ ଧାରଣା, ଅନଶନ, ପ୍ରଦର୍ଶନ, ହରତାଳ ଏବଂ ଧାର୍ମିକ ଅନୁଷ୍ଠାନ କରିବା ଉପରେ ରୋକ୍ ଲଗାଇବାକୁ କୁହାଯାଇଛି । ଏଥିରେ ସାଂସଦମାନଙ୍କୁ ସହଯୋଗ କରିବା ପାଇଁ ମଧ୍ୟ ଲେଖାଯାଇଛି । ବିରୋଧୀ ଦଳମାନଙ୍କ ପକ୍ଷରୁ ଏହାର ଜୋର୍ଦାର ବିରୋଧ ଆରମ୍ଭ ହୋଇଛି । କଂଗ୍ରେସ ମହାସଚିବ ଜୟରାମ ରମେଶ ଟ୍ୱିଟ୍ରେ କଟାକ୍ଷ କରି କହିଛନ୍ତି, ଏବେ ସଂଦନ ପରିସରରେ ଧାରଣା ଦେବା ମଧ୍ୟ ମନା । ଟିଏମ୍ସି ରାଜ୍ୟସଭା ସାଂସଦ ଡେରେକ୍ ଓ’ବ୍ରାଏନ୍ ମଧ୍ୟ ଏହାର ବିରୋଧ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ‘ଧାରଣା, ଅନଶନ ସରକାରୀ ନୀତିର ବିରୋଧ ପାଇଁ ବୈଧ ସଂସଦୀୟ ରଣନୀତି । କେହି ଆମକୁ ଏଥିରୁ ରୋକିପାରିବେ ନାହିଁ ।’ ଏହା ସହିତ ସେ ପ୍ରଶ୍ନ କରିଛନ୍ତି, ନିକଟରେ କେହି ଧାର୍ମିକ ଅନୁଷ୍ଠାନ ଆୟୋଜନ କରିନାହାନ୍ତି ବୋଲି କହିପାରିବ କି?