ଦୁବାଇ: ନ୍ୟୁଜିଲାଣ୍ଡରେ ଆସନ୍ତାବର୍ଷ ମାର୍ଚ୍ଚ ୪ରୁ ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ବୁଧବାର ଘୋଷିତ ହୋଇଛି । ଏହି କାର୍ଯ୍ୟସୂଚୀ ଅନୁସାରେ ଭାରତ ତା’ ପ୍ରଥମ ମ୍ୟାଚ୍ରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାର୍ଚ୍ଚ ୬ ତାରିଖରେ ଭେଟିବ । ଏହି ମ୍ୟାଚ୍ ତୌରଙ୍ଗାରେ ଖେଳାଯିବ । ଉଦ୍ଘାଟନୀ ମ୍ୟାଚ୍ ମାର୍ଚ୍ଚ ୪ ତାରିଖରେ ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ । ସେହିପରି ମାର୍ଚ୍ଚ ୫ ତାରିଖରେ ହାମିଲ୍ଟନ୍ର ସେଡନ୍ ପାର୍କରେ ଅଷ୍ଟ୍ରେଲିଆ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ଭେଟିବ । ଟୁର୍ଣ୍ଣାମେଣ୍ଟ୍ରେ ମୋଟ ୩୧ ଦିନ ମଧ୍ୟରେ ୩୧ଟି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ । ଏହି ଭେନ୍ୟୁଗୁଡ଼ିକ ହେଲା ଅକ୍ଲାଣ୍ଡ, କ୍ରୀଷ୍ଟଚର୍ଚ୍ଚ, ଡୁନେଡାଇନ୍, ହାମଲ୍ଟନ୍, ତୌରଙ୍ଗା ଓ ୱେଲିଂଟନ୍ ।
ଆଇସିସି ମହିଳା ଚାମ୍ପିଅନ୍ଶିପ୍ ୨୦୧୭-୨୨ରେ ନିଜ ନିଜର ସ୍ଥାନ ଆଧାରରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ସାଉଥ୍ ଆଫ୍ରିକା ଓ ଭାରତ ଟୁର୍ଣ୍ଣାମେଣ୍ଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଆୟୋଜକ ରୂପେ ନ୍ୟୁଜିଲାଣ୍ଡ ସ୍ୱୟଂକ୍ରିୟ ଭାବେ ଯୋଗ୍ୟତା ହାସଲ କରିଛି । କୋଭିଡ୍-୧୯ ସଂକ୍ରମଣ ବ୍ୟାପିବା କାରଣରୁ ମହିଳା କ୍ରିକେଟ୍ ବିଶ୍ୱକପ୍ କ୍ୱାଲିଫାୟର୍ ରଦ୍ଦ ହେବା ଫଳରେ ବାଂଲାଦେଶ, ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ଟିମ୍ ର୍ୟାଙ୍କିଙ୍ଗ୍ ଆଧାରଣରେ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପକ୍କା କରିଥିଲେ ।
ଟୁର୍ଣ୍ଣାମେଣ୍ଟ୍ ଲିଗ୍ ଫର୍ମାଟ୍ରେ ଖେଳାଯିବ ଏବଂ ସମସ୍ତ ଆଠଟି ଟିମ୍ ପରସ୍ପରକୁ ଥରେ ଭେଟିବେ । ଶେଷରେ ଶୀର୍ଷ ଚାରିଟି ସ୍ଥାନରେ ଥିବା ଟିମ୍ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ । ପ୍ରଥମ ସେମିଫାଇନାଲ୍ ମାର୍ଚ୍ଚ ୩୦ ତାରିଖରେ ୱେଲିଂଟନ୍ର ବେସିନ୍ ରିଜର୍ଭରେ ଏବଂ ଦ୍ୱିତୀୟ ସେମିଫାଇନାଲ୍ ୩୧ ତାରିଖରେ କ୍ରୀଷ୍ଟଚର୍ଚ୍ଚର ଦି ହେଗ୍ଲେ ଓଭାଲ୍ରେ ଖେଳାଯିବ । ଫାଇନାଲ୍ ମ୍ୟାଚ୍ ଏପ୍ରିଲ୍ ୩ ତାରିଖରେ କ୍ରୀଷ୍ଟଚର୍ଚ୍ଚରେ ଅନୁଷ୍ଠିତ ହେବ । ଉଭୟ ସେମିଫାଇନାଲ୍ ଓ ଫାଇନାଲ୍ ପାଇଁ ଗୋଟିଏ ଲେଖାଏଁ ରିଜର୍ଭ ଡେ’ ରଖାଯାଇଛି। ୨୦୧୭ ସଂସ୍କରଣରେ ଭାରତକୁ ହରାଇ ଇଂଲଣ୍ଡ ଚାମ୍ପିଅନ୍ ହୋଇଥିଲା । ଦୁଇଟି ଅବସରରେ (୨୦୦୫, ୨୦୧୭)ରେ ରନର୍ସଅପ୍ ହୋଇଥିବା ଭାରତ ପ୍ରଥମ ଟାଇଟଲ୍ ଲକ୍ଷ୍ୟରେ ଟୁର୍ଣ୍ଣାମେଣ୍ଟ୍ରେ ଭାଗନେବ ।