23.1 C
Bhubaneswar
Monday, January 19, 2026
Homeଅପରାଧସ୍ତ୍ରୀକୁ ଫେରାଇ ଆଣିବାକୁ ଯାଇଥିବା ସ୍ୱାମୀକୁ ଶ୍ୱଶୁରଘର ଲୋକଙ୍କ ହତ୍ୟା ଅଭିଯୋଗ

ସ୍ତ୍ରୀକୁ ଫେରାଇ ଆଣିବାକୁ ଯାଇଥିବା ସ୍ୱାମୀକୁ ଶ୍ୱଶୁରଘର ଲୋକଙ୍କ ହତ୍ୟା ଅଭିଯୋଗ

ଓଡ଼ଗାଁ: ସ୍ୱାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କ ଭିତରେ ମଝିରେ ମଝିରେ ମନୋମାଳିନ୍ୟ ଘଟିଥାଏ।କିନ୍ତୁ ଏଭଳି ମନୋମାଳିନ୍ୟ ଯୋଗୁଁ ଜଣକ ଜୀବନ ଯାଇଥିବା ଜଣାପଡ଼ିଛି। ଦେଢ଼ମାସ ତଳେ ସ୍ତ୍ରୀ ନିଜ ବାପଘରକୁ ଯାଇ ନଆସିବାରୁ ସ୍ୱାମୀ ଆଣିବାକୁ ଯାଇଥିଲା। ସ୍ତ୍ରୀକୁ ବୁଝାସୁଝା କରି ଘରକୁ ଫେରାଇ ଆଣିବାକୁ ଯାଇଥିବା ସ୍ୱାମୀର ଆଜି ମୃତ୍ୟୁ ହୋଇଛି। ସ୍ତ୍ରୀ, ଶ୍ୱଶୁର ଓ ୩ଶଳା ମିଶି ସ୍ୱାମୀକୁ ହତ୍ୟା କରିଥିବା ପୁଅର ବାପା ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋପାଳ ପ୍ରସାଦ ଗାଁରେ ଘଟିଛି। ସୂଚନା ଅନୁଯାୟୀ ଓଡ଼ଗାଁ ଦଲକ ହେମାମାଳିନୀ ସାହିର ଭାଗିରଥି ପଟ୍ଟନାୟକଙ୍କ ପୁଅ ଅଜିତ ପଟ୍ଟନାୟକ(୩୩) ଫତେଗଡ଼ ଥାନା ଅନ୍ତର୍ଗତ ଗୋପାଳ ପ୍ରସାଦ ଗାଁର ରମେଶ ପଟ୍ଟନାୟକଙ୍କ ଝିଅ ପ୍ରଭାସିନୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ।

ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥିବାରୁ ଆଜକୁ ଦେଢ଼ମାସ ତଳେ ଓଡ଼ଗାଁ ଥାନାରେ ଭଦ୍ରଲୋକଙ୍କ ମାଧ୍ୟମରେ ଲେଖାପଢ଼ା କରି ଝିଅକୁ ତା’ ବାପଘର ଲୋକେ ନେଇ ଯାଇଥିଲେ। ତେବେ ରବିବାର ଦିନ ଅଜିତ୍ ତା’ର ସ୍ତ୍ରୀ ଓ ୫ବର୍ଷର ପୁଅକୁ ଫେରାଇ ଆଣିବାକୁ ଶ୍ୱଶୁର ଘରକୁ ଯାଇଥିଲା। ସନ୍ଧ୍ୟାରେ ବାପା ଭାଗିରଥି ପୁଅ ଅଜିତର ମୋବାଇଲକୁ ଫୋନ୍ କରିବାରୁ ଶାଶୁ, ଶ୍ୱଶୁର, ତିନି ଶଳା ଆଉ ସ୍ତ୍ରୀ ମିଶି ମୋତେ ଗାଳିଗୁଲଜ କରିବା ସହିତ ମାଡ଼ ମାରୁଛନ୍ତି କହି ଅଜିତ ଫୋନ୍ କାଟି ଦେଇଥିଲେ। ତା’ର ଅଧଘଣ୍ଟା ପରେ ଜଣେ ଅଜଣା ବ୍ୟକ୍ତି ଫୋନ୍ କରି କହିଥିଲେ ଯେ ତୁମ ପୁଅ ଗୋପାଳପ୍ରସାଦ ଗ୍ରାମ ରାଧାକୃଷ୍ଣ ମନ୍ଦିର ତଳେ ଥିବା ଛୋଟଶଙ୍ଖ ନିକଟରେ ଚେତାଶୂନ୍ୟ ହୋଇପଡ଼ିଛି।

ଏହା ଶୁଣିବାପରେ ଭାଗିରଥି ତାଙ୍କର ଜଣେ ଭଣଜା ଆଉ ନାତିକୁ ଫୋନ୍‌କରି ଜଣାଇବାରୁ ସେମାନେ ଘଟଣାସ୍ଥଳକୁ ଯିବାବେଳକୁ ସେଠାରେ ଅଜିତ୍ ଅଚେତ୍ ଅବସ୍ଥାରେ ପଡ଼ିଥିବା ବେଳେ ତା’ର ଦୁଇଶଳା ନିକଟରେ ମଦ୍ୟପାନ କରୁଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଭଣଜା ଆଉ ନାତିକୁ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ଓ ସେମାନେ ଯାଇଥିବା ବାଇକ୍ ଚାବି ଛଡ଼ାଇ ନେଇଥିଲେ। ସ୍ଥାନୀୟ ଭଦ୍ରବ୍ୟକ୍ତି ବୁଝାବୁଝି କରି ଗାଡ଼ି ଚାବି ଫେରାଇଥିଲେ। ତା’ପରେ ଭଣଜା ଓ ନାତି ମିଶି ଅଜିତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଖଣ୍ଡପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଅଜିତଙ୍କ ବାପା ଭାଗିରଥି ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ଅଜିତଙ୍କ ଦେହରେ ମାଟି କାଦୁଅ ଲାଗିଥିବାରୁ ତାକୁ ତା’ ଶ୍ୱଶୁରଘର ଲୋକେ ଦଳାଚକଟା କରି ମାରିଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଏପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଅଜିତ୍ ନିଜେ ଭାରସାମ୍ୟ ହରାଇ ବିଷପାନ କରି ଆତ୍ମହତ୍ୟା କରିଥିବା ଶ୍ୱଶୁରଘର ଲୋକେ କହିଛନ୍ତି। ତେବେ ଶବ ବ୍ୟବଚ୍ଛଦ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking