19.1 C
Bhubaneswar
Sunday, November 17, 2024
Homeଓଡିଶାଭୁବନେଶ୍ୱରରେ ୯୯ ଏକର ସରକାରୀ ଲିଜ୍ ଜମି ବିକ୍ରି ମାମଲା ୩ ମାସ ମଧ୍ୟରେ ତଦନ୍ତ...

ଭୁବନେଶ୍ୱରରେ ୯୯ ଏକର ସରକାରୀ ଲିଜ୍ ଜମି ବିକ୍ରି ମାମଲା ୩ ମାସ ମଧ୍ୟରେ ତଦନ୍ତ କରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଭୁବନେଶ୍ୱରର ପଟିଆ ମୌଜାରେ ସରକାରୀ ଲିଜ୍ ଜମିକୁ ବେଆଇନ ଭାବେ ବିକ୍ରି କରାଯିବା ନେଇ ମାମଲାର ବିଚାର କରି ଆଗାମୀ ୩ ମାସ ମଧ୍ୟରେ ତଦନ୍ତ କରାଇବାକୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଶୁକ୍ରବାର ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀ ଅନୁସାରେ, ଭୁବନେଶ୍ୱର ତହସିଲର ନିଉ କ୍ୟାପିଟାଲ ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳରେ ୯୯ଏକର ସରକାରୀ ଜମିକୁ ବେଆଇନ ଭାବେ ବିକ୍ରି କରାଯାଇଛି । ଉପରୋକ୍ତ ମୋଟ ଜମି ପଟିଆ ମୌଜାର ଖାତା ନଂ ୪୮୯/୫୪ରେ ରହିଛି ।

ଭୂମିହୀନଙ୍କୁ ପ୍ରଦାନ କରାଯାଇଥିବା ଉକ୍ତ ଲିଜ ଜମିକୁ ବିଲଡର ସଂସ୍ଥା କ୍ରୟ କରି ଅନ୍ୟମାନଙ୍କୁ ବିକ୍ରି କରୁଥିଲେ । ଏହା ଉପରେ ତଦନ୍ତ କରାଯାଇ ବେଆଇନ ବିକ୍ରି ହେଉଥିବା ଜମିକୁ ସରକାରୀ ଖାତାକୁ ଆଣିବା ଲାଗି ବାଇଧର ସାହୁ ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଭୁବନେଶ୍ୱରରେ ପୂର୍ବରୁ ଜମି ନଥିବା ଲୋକଙ୍କୁ ଲିଜ୍‌ରେ ଜମି ପ୍ରଦାନ କରାଯାଉଥିଲା । ବହୁ ଲୋକ ଜମି ନଥିବା ଦର୍ଶାଇ ଜମି ପାଇଁ ଆବେଦନ କରିଥିଲେ ।

ଏହି ଲିଜ୍ ଜମି ତୃତୀୟ ପକ୍ଷକୁ ବିକ୍ରି କରିପାରିବେନି ବୋଲି ନିୟମ ରହିଥିବା ବେଳେ ବହୁ ଲୋକେ ଏହାର ଅଣଦେଖା କରି ବିଲଡରଙ୍କ ବିକ୍ରି କରିଦେଲେ । ପୁଣି ସଂପୃକ୍ତ ବିଲ୍‌ଡର ସଂସ୍ଥା ସେହି ଜମିକୁ ଅନ୍ୟ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି । ହେଲେ ସବ୍‌ରେଜିଷ୍ଟ୍ରାର ଏସବୁ ଯାଞ୍ଚନକରି ସରକାରୀ ଲିଜ୍ ଜମିକୁ ବିକ୍ରି ଖର୍ଦି କରାଉଥିବା ଜଣାପଡ଼ିଥିଲା । ୨୦୧୪ରେ ଜମି ପଞ୍ଜୀକରଣ ନିୟମରେ ସଂଶୋଧନ କରାଯାଇଥିଲା । ସରକାରୀ ଜମି ଖର୍ଦ୍ଦି ବିକ୍ରି ଖର୍ଦି ସମୟରେ ସବ ରେଜିଷ୍ଟର ମାଲିକାନା ସତ୍ତ୍ୱ ଯାଞ୍ଚ କରିବା ବ୍ୟବସ୍ଥା କରାଯାଇଥିଲା । ଭୁବନେଶ୍ୱରରେ ସାଧାରଣ ପ୍ରଶାସନ (ଜିଏ) ବିଭାଗ ହାତରେ ସମସ୍ତ ଜମିର ମାଲିକାନା ସତ୍ତ୍ୱ ରହିଥାଏ ।

ତେଣୁ ଜମି ବିକ୍ରି ଖର୍ଦି ସମୟରେ ସାଧାରଣ ପ୍ରଶାସନ ବିଭାଗର ଅନୁମତି ଆବଶ୍ୟକ ବୋଲି ସଂଶୋଧିତ ନିୟମରେ କୁହାଯାଇଥିଲା । ଫଳରେ ବିକ୍ରି କରାଯାଇଥିବା ଲିଜ ଜମିଗୁଡ଼ିକ ବେଆଇନ ବୋଲି ଜଣାପଡ଼ିଥିଲା । ସରକାରୀ ଅଧିକାରୀ ଭଲ ଭାବେ ଯାଞ୍ଚ ନକରି ପଞ୍ଜୀକରଣର ଅନୁମତି ପ୍ରଦାନ କରିଥିବାରୁ ପଟିଆ ମୌଜାରେ ଥିବା ୯୯ ଏକର ଜମି ବେଆଇନ ଭାବେ ବିକ୍ରି ହୋଇଛି । ଏହାର ତଦନ୍ତ କରାଯିବା ସହ ଉକ୍ତ ଜମିକୁ ସରକାରୀ ଖାତାକୁ ନେବାକୁ ଆବେଦନକାରୀଙ୍କ ପକ୍ଷରୁ ଅଦାଲତରେ ପ୍ରାର୍ଥନା କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking