ଗଞ୍ଜାମ : ବୁଗୁଡ଼ା ସହର ଉପକଣ୍ଠସ୍ଥ ପୋଲସରା ରାସ୍ତାର ଏନ୍ଏସି ସ୍ୱାଗତ ଗେଟ୍ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ବୁଗୁଡ଼ା ପୁଲିସ ଏକ ଯୁବତୀଙ୍କ ଗଳିତ ମୁଣ୍ଡ ବିହୀନ ଶବ ଉଦ୍ଧାର କରିଛି । ଦୀର୍ଘ ଦିନ ହେବ କୂଅରେ ପଡ଼ିଥିବାରୁ ଶରୀର ଓ ଖପୁରୀ ମିଳେଇ ଯାଇଥିବା ଦେଖିବାକୁ ମିଳିଛି । ନିକଟରୁ ମିଳିଥିବା ପୋଷକ, ଅନ୍ୟାନ୍ୟ ସାମଗ୍ରୀଙ୍କୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଉକ୍ତ ପରିତ୍ୟକ୍ତ କୂଅରେ ଏକ ଅଜଣା ଯୁବତୀଙ୍କ ଶବ ଭାସୁଥିବା ଖବର ପ୍ରଚାରିତ ହୋଇଥିଲା । ଖବର ପାଇ ବୁଗୁଡ଼ା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ବହୁ କସରତ ପରେ ରାତ୍ର ପ୍ରାୟ ଏଗାରଟା ବେଳେ ଯୁବତୀଙ୍କ ମୁଣ୍ଡ ବିହୀନ ଶରୀରକୁ ଉଦ୍ଧାର କରାଯାଇଥିଲା । ପୁଣି ଶନିବାର ସକାଳେ ପୁଲିସ ଉପସ୍ଥିତିରେ ଅଗ୍ନିଶମ ବାହିନୀ ମୁଣ୍ଡଟି ଖୋଜିବାକୁ ଉଦ୍ୟମ କରିବାକୁ ଯାଇ କୁଅରୁ ସମସ୍ତ ଜଳ ନିଷ୍କାସନ ପରେ ଖପୁରୀଟିଏ ପାଇଥିଲେ । ପୁଲିସ ଗଳିତ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ପହଞ୍ôଚ ତଦନ୍ତ କରି ଫେରିଥିବା ବେଳେ କୂଅ ନିକଟରେ ଥିବା ଏକ ବୁଦା ମୂଳରୁ ବୁଗୁଡ଼ାର ଜଗନ୍ନାଥ ଡ୍ରେସେସ୍ ଲେଖାଥିବା ବ୍ୟାଗ ସହ କିଛି ପୋଷାକ ସାଙ୍ଗକୁ ପ୍ରସାଧନ ସାମଗ୍ରୀ ଓ ପର୍ସ ପୁଲିସ ଜବତ କରିଥିବା ଜଣାପଡ଼ିଛି । ଘଟଣାର ତଦନ୍ତ କରିବାକୁ ଯାଇ ପୁଲିସ ବ୍ୟାଗରେ ଲେଖାଥିବା ସମ୍ପୃକ୍ତ ଲୁଗା ଦୋକାନର ସିସିଟିଭି ଫୁଟେଜକୁ ଯାଞ୍ଚ ଜାରି ରଖିଛି । ଘଟଣାଟି ସାଧାରଣରେ ହତ୍ୟା ସନ୍ଦେହର ପରିସରକୁ ଆସୁଥିବା ବେଳେ ଶବ ବ୍ୟବଛେଦର ସମ୍ପୂର୍ଣ୍ଣ ବିବରଣୀ ଆସିବା ପରେ ହିଁ ଏହାର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ପାଇଛି ।