ନୂଆଦିଲ୍ଲୀ: ଭାରତରେ ବ୍ୟବହାର ହେଉଥିବା ବିଭିନ୍ନ ସ୍ମାର୍ଟଫୋନ୍ ପାଇଁ ଭିନ୍ନଭିନ୍ନ ଚାର୍ଜର ବ୍ୟବହାର କରାଯାଉଛି। ପୁଣି ଆଇଫୋନ୍ ପାଇଁ ଚାର୍ଜର ସ୍ୱତନ୍ତ୍ର ଅଲଗା। ଆଗକୁ ସବୁ ସ୍ମାର୍ଟଫୋନ୍ ପାଇଁ ଗୋଟିଏ ପ୍ରକାର ଚାର୍ଜର ରହିବ। ଗ୍ରାହକଙ୍କୁ ଲାଭ ଦେବାକୁ ଓ ଇଲେକ୍ଟ୍ରିକ୍ ଅଳିଆକୁ କମ୍ କରିବାକୁ ସରକାର ଗେଜେଟ୍ରେ ଚାର୍ଜିଂ ପୋର୍ଟରେ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସବୁପ୍ରକାର ସ୍ମାର୍ଟଫୋନ୍ ପାଇଁ ଗୋଟିଏ ପ୍ରକାର ୟୁଏସ୍ବି ଟାଇପ-ସି ଚାର୍ଜିଂ ପୋର୍ଟ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଫୋନ ନିର୍ମାତା କମ୍ପାନୀଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ପିନ୍ଧିବାଯୋଗ୍ୟ ଇ-ଉପକରଣ ଯଥା ସ୍ମାର୍ଟ ୱାଚ୍, ବ୍ଲୁଟୁଥ୍ ସ୍ପିକର ଆଦିଙ୍କ ପାଇଁ ଅଲଗା ଚାର୍ଜର ବ୍ୟବହାର କରାଯିବ। ଗୋଟିଏ ଅର୍ଥରେ କହିବାକୁ ଗଲେ ସରକାର କେବଳ ଦୁଇ ପ୍ରକାର ଚାର୍ଜରକୁ ମାନ୍ୟତା ଦେବେ। ବିଏସ୍ଆଇ(ଭାରତୀୟ ମାନକ ବ୍ୟୁରୋ) ୟୁଏସ୍ବି ଟାଇପ୍-ସିକୁ ପୋର୍ଟକୁ କ୍ୱାଲିଟି ଷ୍ଟାଣ୍ଡାର୍ଡ ପୋର୍ଟରେ ମାନ୍ୟତା ଦେଇଛି। ଉପଭୋକ୍ତା ସଂକ୍ରାନ୍ତ ସଚିବ ରୋହିତ କୁମାର ସିଂହ କହିଛନ୍ତି; ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପକ୍ଷରୁ ସ୍ମାର୍ଟଫୋନ୍, ଟାବଲେଟ୍ ଓ ଲ୍ୟାପଟପ୍ ପାଇଁ ଟାଇପ୍ ସି ପୋର୍ଟକୁ ଷ୍ଟାଣ୍ଡାର୍ଡ ଚାର୍ଜର ରୂପରେ ମାନ୍ୟତା ଦିଆଯାଇଛି।
ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କାନପୁର ପକ୍ଷରୁ ପିନ୍ଧିବାଯୋଗ୍ୟ ଇ-ଉପକରଣ ପାଇଁ ମଧ୍ୟ ଗୋଟିଏ ପ୍ରକାରର ଚାର୍ଜର ବ୍ୟବହାର କରିବାକୁ ଗବେଷଣା ଜାରି ରହିଛି। ଗବେଷଣା ରିପୋର୍ଟ ପରେ ୨୦୨୪ରେ ଏହି ନିୟମ ସବୁ ଲାଗୁ କରିବେ। ଭାରତ ପୂର୍ବରୁ ୟୁରୋପୀୟ ସଂଘ ଏହି ନିୟମ କରିସାରିଛି। ୨୦୨୪ ଶେଷ ସୁଦ୍ଧା ୟୁରୋପରେ ସମସ୍ତ ମୋବାଇଲ୍, ଟାବଲେଟ୍ ଓ କ୍ୟାମେରା ପାଇଁ ୟୁଏସ୍ବି ଟାଇପ-ସି ଚାର୍ଜର ପୋର୍ଟ ବିକ୍ରି କରାଯିବ।