ନୂଆଦିଲ୍ଲୀ : କ୍ରୀଡ଼ା ମନ୍ତ୍ରଣାଳୟ ମିଶନ୍ ଅଲିମ୍ପିକ୍ ସେଲ୍ (ଏମ୍ଓସି)ର ମଞ୍ଜୁରୀ ମିଳିବା ପରେ ବିଶ୍ୱ ଚାମ୍ପିଅନ୍ଶିପ୍ ବ୍ରୋଞ୍ଜ୍ ମେଡାଲିଷ୍ଟ ଲକ୍ଷ୍ୟ ସେନ୍ ରବିବାରଠାରୁ ଦୁବାଇରେ ବିଶ୍ୱର ନମ୍ବର ଏକ ବ୍ୟାଡ୍ମିଣ୍ଟନ୍ ଖେଳାଳି ଭିକ୍ଟର୍ ଆକ୍ସେଲ୍ସନ୍ଙ୍କ ସହିତ ଟ୍ରେନିଂ କରିବେ । ଆଗାମୀ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଦୃଷ୍ଟିରେ ରଖି ଏପରି କରାଯାଇଛି । ଏହା ସହିତ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ଯୋଜନା (ଟପ୍ସ) ଅଧୀନରେ ନିଜ ଫିଟ୍ନେସ୍ ଟ୍ରେନର୍ ଏମ୍ ଶ୍ରୀକାନ୍ତ ମଦାପଲ୍ଲୀଙ୍କୁ ନିଜ ସହ ଟୁର୍ରେ ନେବା ପାଇଁ ଡବଲ୍ ଅଲିମ୍ପିକ୍ ମେଡାଲିଷ୍ଟ୍ ପିଭି ସିନ୍ଧୁ କରିଥିବା ଅନୁରୋଧକୁ ମଧ୍ୟ ଏମ୍ଓସି ମଞ୍ଜୁରୀ ପ୍ରଦାନ କରିଛି । ଗୁରୁବାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି । ୨୦ ବର୍ଷୀୟ ଲକ୍ଷ୍ୟ ନିକଟରେ ଥୋମାସ୍ କପ୍ ଟାଇଟଲ୍ ଜିତିଥିବା ଭାରତୀୟ ପୁରୁଷ ଟିମ୍ର ସଦସ୍ୟ ଥିଲେ ଓ ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁ ଥିବା ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ପାଇଁ ବଡ଼ ଦାବିଦାର । ମନ୍ତ୍ରଣାଳୟ ଅନୁସାରେ ଲକ୍ଷ୍ୟ ଦୁବାଇରେ ଆକ୍ସେଲସନ୍ଙ୍କ ସହ ଜୁନ୍ ମେ ୨୯ରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଟ୍ରେନିଂ କରିବେ । ଏହାପରେ ଜୁନ୍ ୧୯ରେ କ୍ୱାଲାଲାମ୍ପୁର୍ ଯାଇ ମାଲେସୀୟ ଟ୍ରେନିଂ ସେଣ୍ଟର୍ରେ ଜୁନ୍ ୨୬ ପର୍ଯ୍ୟନ୍ତ ୮ ଦିନ ଟ୍ରେନିଂ ନେବେ ।