ଭୁବନେଶ୍ୱର : ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ(ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହା ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି,ଭାଷା,ପରମ୍ପରା,ଚାଲି-ଚଳଣ ଏବଂ ସର୍ବୋପରି ଭାବାବେଗ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ନୂଆଁଖାଇ ଯେ , କେବଳ ପାରମ୍ପରିକ ପର୍ବ ନୁହେଁ, ବରଂ ଏହି ପର୍ବ ଭ୍ରାତୃତ୍ବଭାବ ଓ ଏକତାର ପର୍ବ,ସୌହାର୍ଦ୍ଦ୍ୟ ମହାମିଳନର ପର୍ବ। କାରଣ ଯିଏ ଯେଉଁଠି ଯେତେଦୂରରେ ଥାଆନ୍ତୁ ନା କାହିଁକି ଅନ୍ତତଃ ବର୍ଷକୁ ଥରେ ଏହି ନିର୍ଦ୍ଦିଷ୍ଟ ପର୍ବ ସମୟରେ ସମସ୍ତେ ଏକତ୍ର ହୋଇଥାନ୍ତି। ସ୍ରଷ୍ଟାଙ୍କ ପ୍ରତି ସମର୍ପଣ ଓ କୃତଜ୍ଞ ହେବାର ପ୍ରତୀକ ମହାନ୍ ଗଣପର୍ବ ନୂଆଁଖାଇ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସଅଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ।
ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ କୁହାଯାଏ ନୂଆଁଖାଇ । ନୂଆଁଖାଇ ପାଇଁ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ ପରେ ପୂଜା ସହ ଆରିସା ପିଠା ଭୋଗ କରିବାର ପରମ୍ପରା ରହିଛି । ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସରିବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଗ୍ରହଣ କରନ୍ତି । ପୂର୍ବରୁ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଁ ଖାଇବାର ଲଗ୍ନ ଧାର୍ଯ୍ୟ କରୁଥିଲେ । ଏହା ପରେ ରାଜାଙ୍କ ଇଷ୍ଟଦେବୀଙ୍କ ନାଁ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ । ଏହି କାରଣରୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଁଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିନ ହେଉ ନ ଥିଲା ।