ନୂଆଦିଲ୍ଲୀ : ଆଗାମୀ ୨୦୨୨-୨୩ ବର୍ଷ ପାଇଁ ଫେବୃଆରୀ ୧ ତାରିଖରେ ସଂସଦରେ ସାଧାରଣ ବଜେଟ୍ ଆଗତ କରାଯିବ । ବଜେଟ୍ ଅଧିବେଶନ ଦୁଇ ପର୍ଯ୍ୟାୟରେ ହେବ । ପ୍ରାଥମିକ ପର୍ଯ୍ୟାୟରେ ୩୧ ଜାନୁଆରୀରୁ ଆରମ୍ଭ ହୋଇ ୧୧ ଫେବୃଆରୀ ପର୍ଯ୍ୟନ୍ତ ଜାରି ରହିବ। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ୧୪ ମାର୍ଚ୍ଚରୁ ୮ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ । ସରକାରଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ସଂସଦର ବଜେଟ୍ ଅଧିବେଶନ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ।
ରାଷ୍ଟ୍ରପତି ସଂସଦର ଉଭୟ ସଦନକୁ ସଂଯୁକ୍ତ ଭାବେ ସମ୍ବୋଧିତ କରିବେ । ଦେଶରେ କରୋନାର ତୃତୀୟ ଲହର ଜାରି ରହିଥିବା ପରିପ୍ରେକ୍ଷୀରେ ଚଳିତ ବଜେଟ୍ ଚ୍ୟାଲେଞ୍ଜ୍ପୂର୍ଣ୍ଣ ରହିବ । ସରକାର ଚଳିତ ଆର୍ଥିକ ବର୍ଷରେ ୩.୭୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି । ଏଥିପାଇଁ ରାଷ୍ଟ୍ରପତି ଆବଶ୍ୟକୀୟ ଅନୁମୋଦନ ଦେଇସାରିଛନ୍ତି । ସୂଚନାଯୋଗ୍ୟ, ଆଗାମୀ ବଜେଟ୍ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୪ର୍ଥ ବଜେଟ୍ ହେବ ।