30.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଗାଜା ଷ୍ଟ୍ରିପ୍‌ ଦୁଇ ଭାଗ ହୋଇଯାଇଛି; ଜିତିବା ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ: ଇସ୍ରାଏଲ୍‌

ଗାଜା ଷ୍ଟ୍ରିପ୍‌ ଦୁଇ ଭାଗ ହୋଇଯାଇଛି; ଜିତିବା ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ: ଇସ୍ରାଏଲ୍‌

ତେଲ୍‌ ଅଭିଭ୍‌ : ବିମାନ ଆକ୍ରମଣ ଜୋର୍‌ଦାର୍‌ କରି ଗାଜା ସିଟିକୁ ୨ ଖଣ୍ଡ କରି ଦେଇଛି ବୋଲି ରବିବାର ଦିନ ଇସ୍ରାଏଲ୍‌ କହିଛି। ଇସ୍ରାଏଲ୍‌ ସେନାବାହିନୀର ମୁଖପାତ୍ର ଡେନିଏଲ୍‌ ହେଗାରି କହିଛନ୍ତି, ଇସ୍ରାଏଲ୍‌ର ସୈନିକମାନ‌େ ଗାଜା ସିଟିକୁ ଘେରି ଯାଇଛନ୍ତି। ଏବେ ଗାଜା ଷ୍ଟ୍ରିପ୍‌ ଦକ୍ଷିଣ ଗାଜା ଓ ଉତ୍ତର ଗାଜାରେ ପରିଣତ ହୋଇଯାଇଛି। ଗାଜାରେ ମୃତ୍ୟୁସଂଖ୍ୟା ବୃଦ୍ଧି ଯୋଗୁଁ ବିଶ୍ବବ୍ୟାପୀ ଉଦ୍‌ବେଗ ଦେଖା ଦେଇଥିଲେ ବି ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ପୁଣି ଥରେ ପ୍ରତିଜ୍ଞା କରି କହିଛନ୍ତି ପଣବନ୍ଦୀମାନେ ନ ଫେରିବା ଯାଏଁ ଯୁଦ୍ଧ ବିରତି ଘୋଷଣା କରାଯିବ ନାହିଁ। ଜିଣିବା ଯାଏଁ ଯୁଦ୍ଧ କରିବୁ। ଆମ ନିକଟରେ କୌଣସି ବିକଳ୍ପ ନାହିଁ। ଇସ୍ରାଏଲୀୟ ସେନା ରିଲିଜ୍‌ କରିଥିବା ‘ଫୁଟେଜ୍‌’ରେ ଦେଖାଯାଉଛି ରବିବାର ଦିନ ଗାଜାରେ ସୈନିକମାନ‌େ ଦ୍ବାର ଦ୍ବାର ବୁଲି ଲଢ଼େଇ କରୁଛନ୍ତି। କମାଣ ଓ ବୁଲ୍‌ଡୋଜର୍‌ ବାଲି ଘାଣ୍ଟି ପକାଉଛି। ଆବାସିକ ଆପାର୍ଟମେଣ୍ଟ୍‌ ସବୁ ଭାଙ୍ଗିରୁଜି ଭଗ୍ନସ୍ତୂପ ପାଲଟି ଯାଇଥିବା ଏକ ଅଞ୍ଚଳରେ ଆଲ୍ଲା ଆବୁ ହସେରା ନାମରେ ଜଣେ ଗାଜାବାସୀ କହିଛନ୍ତି, ଏ ଆକ୍ରମଣ ଭୂମିକମ୍ପ ଭଳି ମନେହେଉଛି। ଇସ୍ରାଏଲ୍‌ ଗଣମାଧ୍ୟମ କହିଛି ଯେ, ସନ୍ଧ୍ୟା ପରେ ଉତ୍ତର ଗାଜାରେ ପ୍ରଚଣ୍ଡ ବିସ୍ଫୋରଣ ଶୁଭୁଥିବା ବେଳେ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲୀୟ ସୈନିକମାନେ ଗାଜା ସିଟିରେ ପ୍ରବେଶ କରିବେ। ରବିବାର ଦିନ ‘ଏକ୍ସ୍‌’ କରି ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଆମ ସହିତ ବିବାଦ କାରଣରୁ ନୁହେଁ, ଆମକୁ ମାରିପକାଇବା ଉଦ୍ଦେଶ୍ୟରେ ହମାସ୍‌ ଯୁଦ୍ଧ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଆଜି ଯୁଦ୍ଧ ୩୦ତମ ଦିବସରେ ପ୍ରବେଶ କରିବା ଅବସରରେ ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ ଏକ ଭିଡିଓ ବିବୃତି ଜାରି କରି ପଣବନ୍ଦୀଙ୍କୁ ମୁକ୍ତ କରିବା ଉପରେ ଗୁରୁତ୍ବାରୋପ କରିଛି। ଇସ୍ରାଏଲ୍‌ ସେନାର ମୁଖପାତ୍ର କହିଛନ୍ତି, ଆମେ ହମାସ୍‌କୁ ପରାସ୍ତ କରି ପଣବନ୍ଦୀଙ୍କୁ ମୁକ୍ତ କରିବୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking