କଙ୍କଡ଼ାହାଡ: କଙ୍କଡ଼ାହାଡ଼ ବ୍ଲକ ଗଡପଳାଶୁଣି ଗ୍ରାମରେ ଏକ ଅସହାୟ ପରିବାର ରହୁଥିବାବେଳେ ସେମାନଙ୍କୁ ଏ ଯାଏଁ ସରକାରୀ ସହାୟତା ମିଳିପାରିନାହିଁ । ଏହି ପରିବାର ମୁଖ୍ୟ ହେଉଛନ୍ତି କହ୍ନେଇ ଦେହୁରୀ । ତାଙ୍କର ୩ଟି ସନ୍ତାନ । ସେମାନେ ହେଲେ ଧର୍ମ୍ମା ଦେହୁରୀ, ଧରିତ୍ରୀ ଦେହୁରୀ ଓ ଆୟୁଷ ଦେହୁରୀ । ସେମାନଙ୍କ ମାଆ ଚେମୀ ଦେହୁରି ଆଜକୁ ଦେଢ଼ ବର୍ଷ ହେଲା ଆରପୁରକୁ ଚାଲିଯାଇଛନ୍ତି । ଏଣେ ବାପା ଧନୁ ଜଣେ ମଦ୍ୟପ । ସେ ଅନେକ ସମୟରେ ନିଶାଗ୍ରସ୍ତ ରହୁଥିବାରୁ ତିନି ଛୁଆଙ୍କ ଭବିଷ୍ୟତ ନଷ୍ଟ ହେବାକୁ ବସିଛି । ଏପରି ଅବସ୍ଥାରେ ତିନି ଭାଇଭଉଣୀ ବାପାଙ୍କ ଏପରି ଅବସ୍ଥା ଦେଖି ବୃଦ୍ଧା ଜେଜେବାପା ଓ ଜେଜେମାଆଙ୍କ ପାଖରେ ଆଶ୍ରୟ ନେଉଥିଲେ । ବିଡ଼ମ୍ବନାର ବିଷୟ, ଜେଜେବାପା କହ୍ନେଇଙ୍କ ବିୟୋଗ ଆଜକୁ ଦୁଇ ମାସ ତଳେ ହୋଇଛି ।
ଆଉ ରହିଛନ୍ତି ଜେଜେ ମାଆ । ସେ ରୋଗାକ୍ରାନ୍ତ । ତାଙ୍କ ଗୋଡ଼ରେ ଘାଆ ହୋଇଥିବାରୁ ସେ ଚଳପ୍ରଚଳରେ ବହୁ ଅସୁବିଧା ଭୋଗୁଛନ୍ତି। ତିନି ପିଲାଙ୍କ ପେଟରେ ଆହାର ଚିନ୍ତା ଘାରୁଛି ଜେଜେମାଆଙ୍କୁ । ଏହି ପରିବାରକୁ ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ କେବଳ ମିଳୁଛି । ଏହି ଅସହାୟ ପରିବାରକୁ ସାହାଯ୍ୟ ଯୋଗାଇଦେବାକୁ ସମାଜସେବୀ ଦୁଃଖବନ୍ଧୁ ବିଶ୍ୱାଳ ଏକ ଟ୍ୱିଇଟ୍ ମାଧ୍ୟମରେ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ପ୍ରଶାସନର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି । ତୁରନ୍ତ ଏମାନଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ହେଉଛି । ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା କୌଣସି ସଂଗଠନ ତରଫରୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଚାହୁଁଥାନ୍ତି ତେବେ ଏହି ମୋବାଇଲ ନମ୍ବର ୯୭୭୭୩୩୨୮୮୩/୯୧୭୮୭୧୦୩୬୦ ସହିତ ଯୋଗାଯୋଗ କରିପାରିବେ ।