ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ପଦାରେ ପଡ଼ିଲା କଟକ ବିଜେଡି ଗୋଷ୍ଠୀ କନ୍ଦଳ । ସାଂସଦ ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂଙ୍କ ମଧ୍ୟରେ ହୋଇଛି ତୁ ତୁ ମେ ମେ । ସିଡିଏ ସ୍ଥିତ ଅନାଥ ଆଶ୍ରମରେ ମେୟର ସୁବାସ ସିଂ ନବୀନଙ୍କ ଜୟନ୍ତୀ ପାଳିଥିଲେ । ଯେଉଁଥିରେ କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂ ଓ ମହିଳା ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ସିଟି ହସ୍ପିଟାଲରେ ଫଳବାଣ୍ଟି ନବୀନ ଜନ୍ମଦିନ ପାଳିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ତେବେ ଭିନ୍ନ ଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମକୁ ନେଇ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ସେମାନେ ନିମ୍ନସ୍ତରର । ମୋତେ କାର୍ଯ୍ୟକ୍ରମକୁ ଡାକିବା ପାଇଁ ସେମାନଙ୍କ ସତସାହସ ନାହିଁ ।
ଅନ୍ୟପକ୍ଷରେ ମେୟର,ଜିଲ୍ଲା ବିଜେଡି ସଭାପତି କେମିତି ନିମ୍ନସ୍ତରର ବୋଲି ସୁବାସ ପ୍ରଶ୍ନ କରିଛନ୍ତି । ଦେବାଶିଷଙ୍କ ସମସ୍ତ ବକ୍ତବ୍ୟ ଦଳୀୟ ହାଇକମାଣ୍ଡ ତର୍ଜମା କରୁଛନ୍ତି ବୋଲି ସୁବାସ କହିଛନ୍ତି । ତେବେ ଦୀର୍ଘଦିନ ପରେ ଦେବାଶିଷ ନିଜ ଦଳର ନେତାଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ନିକଟରେ ବିଜେଡିରୁ ନିଲମ୍ବିତ ହୋଇଥିବା ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଲେ ଦଳର ନିଷ୍ପତ୍ତିକୁ ସାର୍ଗେଟ କରିଥିଲେ । ଏପରିକି ପ୍ରଫୁଲ୍ଲ ମଲ୍ଲିକ ଓ ଏନ ଭାଷ୍କର ରାଓଙ୍କ ସପକ୍ଷରେ ବି ବାହାରିଲେ ଦେବାଶିଷ ।










