ବାଲେଶ୍ୱର : ନୀଳଗିରି କୁଳଡିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ବିଟ୍ ହାଉସ ଅଧିନସ୍ଥ ଦେବଗିରି ପାହାଡ଼ରେ ଏକ ବିରାଟ ମାଈ ହାତୀର ମୃତ ଦେହ ରବିବାର ବନବିଭାଗ ଠାବ କରିଥିବା ବେଳେ ଆଜି ପୁଣି ଏକ ହାତୀ ଛୁଆର ମୃତ ଦେହ ଠାବ କରାଯାଇଛି । ହାତୀ ମୃତ୍ୟୁର କାରଣ ବନବିଭାଗ ଗଣମାଧ୍ୟମକୁ କିଛି ତଥ୍ୟ ଦେଉ ନ ଥିବା ବେଳେ ଭୁଲତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରି କୁଳଡିହା ରେଞ୍ଜର ଅନନ୍ତ କୁମାର ଜେନା ନିଜର ଦୋଷ ଦୁର୍ବଳତାକୁ ଲୁଚାଉଛନ୍ତି ।
ଲଗାତାର ୩ ମାସ ମଧ୍ୟରେ ୩ଟି ହାତୀ ମରିବା ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ପରିବେଶବିତ୍ମାନେ । ହାତୀ ମୃତ୍ୟୁ ଖବର ପାଇ ଆର.ସି.ସି.ଏଫ. , ସିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍, ଡଗସ୍କ୍ୱାର୍ଡ, ବାଲେଶ୍ୱର ଓ କୁଳଡିହା ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି । ଶବ ବ୍ୟବଚ୍ଛେଦ ପରେ ଜଙ୍ଗଲ ମଧ୍ୟରେ ହାତୀ ଦୁଇଟିକୁ ପୋଡ଼ିଦିଆଯାଇଛି । ତେବେ ରୋଗରେ ହାତୀ ଦୁଇଟି ମରିଥିବାର ସୂଚନା ଥିବା ବେଳେ ତଦନ୍ତ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ ।