ଭୁବନେଶ୍ୱର: ମଝି ଚିଲିକାରେ ମୃତ୍ୟୁର ତାଣ୍ଡବ । ପେଟପାଟଣା ପାଇଁ ପୁଣି ବାଜି ପଡିଲା ଜୀବନ । ମାଛ ଧରିବା ପାଇଁ ଗତକାଲି ଚିଲିକାକୁ ଯାଇ ବାପ-ପୁଅ ଜୀବନ ହାରିଥିଲେ । ବଜ୍ରପାତରେ ଚାଲି ଯାଇଥିଲା ଦୁଇ ଜୀବନ । ଆଜି ପୁଣି ଜଣେ ମତ୍ସ୍ୟଜୀବୀଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି । ଏହି ଖବର ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଟାଙ୍ଗୀ ଥାନା ପାଟପୁର ବଡବାହାଣିଆରେ ୫୨ ବର୍ଷୀୟ ମାଗା ବେହେରା । ମାଛ ଧରିବା ପାଇଁ ଆଜି ସକାଳୁ ସକାଳୁ ଚିଲିକାକୁ ବାହାରି ଯାଇଥିଲେ । ବର୍ଷା ସତ୍ତ୍ୱେ ମାଗା ଓ ୪ ଜଣ ଜାଲ ଓ ଡଙ୍ଗା ଧରି ଚିଲିକା ମଝିକୁ ଯାଇଥିଲେ । ମାଛ ଧରିବା ସମୟରେ ହୋଇଥିଲା ବଜ୍ରପାତ । ଫଳରେ ସେହିଠାରେ ଟଳି ପଡିଥିଲେ ମାଗା । ତେବେ ଅନ୍ୟ ୪ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।