21.1 C
Bhubaneswar
Monday, November 18, 2024
Homeଓଡିଶାକୌଶଲ୍ୟାଗଙ୍ଗ ମାଛଫାର୍ମରେ ପ୍ରଥମ ଗିଫ୍ଟ ହ୍ୟାଚେରୀ ଲୋକାର୍ପିିତ, ବାର୍ଷିକ ୫୦ ଲକ୍ଷ ଯାଆଁଳ ଉତ୍ପାଦନ ଲକ୍ଷ୍ୟ

କୌଶଲ୍ୟାଗଙ୍ଗ ମାଛଫାର୍ମରେ ପ୍ରଥମ ଗିଫ୍ଟ ହ୍ୟାଚେରୀ ଲୋକାର୍ପିିତ, ବାର୍ଷିକ ୫୦ ଲକ୍ଷ ଯାଆଁଳ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର:  କୌଶଲ୍ୟାଗଙ୍ଗ ମାଛଫାର୍ମରେ ପ୍ରଥମ ଗିଫ୍ଟ ହ୍ୟାଚେରୀ ପ୍ରତିଷ୍ଠା ହୋଇଛି । ବାର୍ଷିକ ୫୦ ଲକ୍ଷ ଯାଆଁଳ ଉତ୍ପାଦନ କ୍ଷମତା ସମ୍ପନ୍ନ ଏହି ହ୍ୟାଚେରୀ ନିମନ୍ତେ ଦୁଇ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହା ୪୭୦୦ ବର୍ଗ ଫୁଟ ଅଞ୍ଚଳରେ ଅବସ୍ଥିତ । ଏଥିସହିତ ଜୈବ ସୁରକ୍ଷା ଯୁକ୍ତ ୪ ଏକର ପରିମିତ ପୋଖରୀ, ବିଜ୍ଞାନାଗାର ଓ ଅତ୍ୟାଧୁନିକ ଯନ୍ତ୍ରପାତି ସଂଯୋଗ କରାଯାଇଛି । ଚଳିତ ବର୍ଷରେ ୩୫ କୋଟି ଉନ୍ନତ ଗୁଣ୍ଡ ଯାଆଁଳ ଉତ୍ପାଦନ ସମ୍ଭବ ହୋଇଛି ।  ଗୁରୁବାର ନୂତନ ଗିଫ୍ଟ ହ୍ୟାଚେରୀକୁ ମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଓ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଆନୁଷ୍ଠାନିକ ଭାବେ ଲୋକର୍ପଣ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ, ଓଡ଼ିଶା ରାଜ୍ୟରେ ମତ୍ସ୍ୟ ଚାଷୀଙ୍କର ଆବଶ୍ୟକତା ଓ ଆଗ୍ରହକୁ ଦେଖି କୌଶଲ୍ୟାଗଙ୍ଗସ୍ଥିତ ସରକାରୀ ମାଛ ଫାର୍ମରେ ରାଜ୍ୟର ପ୍ରଥମ ଗିଫ୍ଟ ଟିଲାପିଆ ହ୍ୟାଚେରୀ ବା ଯାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହାଦ୍ୱାରା ଆମ ରାଜ୍ୟର ଚାଷୀଙ୍କର ଆବଶ୍ୟକତା ପୁରଣ ସହିତ ଏହି ଅଧିକ ଅମଳ କ୍ଷମ ପ୍ରଜାତିର ଯାଆଁଳ ପଡୋଶୀ ରାଜ୍ୟକୁ ମଧ୍ୟ ପଠା ଯାଇପାରିବ । ଏଠାରେ କାର୍ପ ମାଛ ସହିତ ଅନ୍ୟ କେତେକ ଉନ୍ନତ ପ୍ରଜାତିର ମାଛଯାଆଁଳ ଉତ୍ପାଦନ ବ୍ୟତିତ ଗବେଷଣା ଓ ଚାଷୀଙ୍କୁ ଜ୍ଞାନକୌଶଳ ପ୍ରଦାନ କରାଯାଉଛି ।

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଆର ରଘୁ ପ୍ରସାଦ କହିଛନ୍ତି ଯେ, ଉନ୍ନତ ପ୍ରଜାତି ତଥା ଅଧିକ ଅମଳକ୍ଷମ ଗିଫ୍ଟ ଟିଲାପିଆ ମାଛ ଗତ ତିନି ବର୍ଷ ଧରି ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଚାଷ କରାଯାଇଥିଲା । ଏହି ମାଛ ସାତ ମାସ ଚାଷ ଅବଧିରେ ଏକର ପ୍ରତି ଗୋଟିଏ ଚାଷରେ ୩-୪ ମେଟ୍ରିକ ଟନ୍ ଉତ୍ପାଦନ ଯୋଗୁଁ ଅନେକ ଚାଷୀ ଏହି ପ୍ରଜାତିର ମାଛ ଚାଷ ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ଚାଷରେ ଭାରତ ସରକାରଙ୍କ ଅନୁଶ୍ରୁତ ନୀତି ଅନୁଯାୟୀ ଉନ୍ନତ ଜୈବ ସୁରକ୍ଷା ପଦ୍ଧତି ଅବଲମ୍ବନ କରାଯାଇଥାଏ । ଏଥି ପୂର୍ବରୁ ଏହି ପ୍ରଜାତିର ଉନ୍ନତ ଯାଆଁଳ ଆନ୍ଧ୍ରପ୍ରଦେଶ ର ବିଜୟୱାଡା ନିକଟସ୍ଥ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରରୁ ଅଣାଯାଇ ଚାଷୀଙ୍କୁ ଯୋଗାଇ ଦିଆଯାଉଥିଲା ।

ଅଧିକ ଆବଶ୍ୟକତା ହେତୁ କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆନୁକୂଲ୍ୟରେ ତଥା ୱାର୍ଲ୍ଡ ଫିସ ସଂଗଠନର ବୈଷୟିକ ପରାମର୍ଶରେ ରାଜ୍ୟର ଏହି ପ୍ରଥମ ଗିଫ୍ଟ ଟିଲାପିଆ ହ୍ୟାଚେରୀ ପ୍ରତିଷ୍ଠା କରାଯାଇଛି । ଏଥିରେ ଗିଫ୍ଟ ବା ଉନ୍ନତ ଆନୁବଂଶିକ ପ୍ରଜାତିର କେବଳ ପୁରୁଷ ଲିଂଗ ବିଶିଷ୍ଟ ଯାଆଁଳ ହରମୋନ ପ୍ରୟୋଗ ଦ୍ୱାରା ଉତ୍ପାଦନ କରାଯାଉଛି । ଏହାଦ୍ୱାରା ଅନାବଶ୍ୟକ ପ୍ରଜନନକୁ ରୋକାଯାଇପାରିବ । ଏହି ମାଛ ଏକ ଆକର୍ଷଣୀୟ ଆକୃତି ,କେବଳ ମଝି କଣ୍ଟା, ସ୍ୱାଦ ଓ ପୁଷ୍ଟିଯୁକ୍ତ ହେତୁ ଅଧିକ ଲୋକପ୍ରିୟ ହୋଇପଡ଼ିଛି । ମିଳିତ ଜାତିସଂଘ ର ଖାଦ୍ୟ ଓ କୃଷି ସଂଗଠନର ଆକଳନ ଅନୁଯାୟୀ ଏହା ବିଶ୍ୱରେ ସ୍ୱଳ୍ପ ଚାଷ ଅବଧିରେ ଅଧିକ ଉତ୍ପାଦନ ହେତୁ ସମଗ୍ର ଜଳକୃଷି ଉତ୍ପାଦନର ୬୦ ପ୍ରତିଶତ ସ୍ଥାନ ଅଧିକାର କରିବା ଆଶା କରାଯାଏ ।

ଟିଲାପିଆ ପ୍ରଜାତି ଏକବିଂଶ ଶତାଦ୍ଧି ର ମୁଖ୍ୟ ଚାଷ ଉପଯୋଗୀ ପ୍ରଜାତି ରୂପେ ପରିଗଣିତ ହେବ । ଏହି ମାଛ ପ୍ରଜାତି ପୋଖରୀ, କେଜ ବା ପଞ୍ଜୁରି ଚାଷ ବ୍ୟତିତ ବାୟୋଫ୍ଲକ ଚାଷ ପଦ୍ଧତି ପାଇଁ ସର୍ବୋକୃଷ୍ଟ । ଏଥିରେ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରରୁ ଅଣାଯାଇଥିବା ରୋଗମୁକ୍ତ ବୃଡଷ୍ଟକର ଉପଯୁକ୍ତ ଲାଳନ ପାଳନ କରି ପ୍ରଜନନ କାର୍ଯ୍ୟରେ ଲଗାଯାଉଥିବା ହେତୁ ଉନ୍ନତ ଯାଆଁଳ ଚାଷୀଙ୍କୁ ଯୋଗାଇ ଦିଆଯାଇପାରୁଛି ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking