ଭୁବନେଶ୍ୱର: ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ପରସିବା ମହାଙ୍ଗା ପଡ଼ିଲା । ନନ୍ଦନକାନନ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ବିକି ମୋଟା ଅଙ୍କର ତଣ୍ଡ ଗଣିଛନ୍ତି ‘ହେରମିଟ ଜିଙ୍ଗ’ ରେଷ୍ଟୁରାଣ୍ଟ ମାଲିକ । ସତ୍ୟଜିତ ପଟେଲଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଫୁଡ୍ ଇନ୍କ୍ୱାରୀ ଦଳ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରିଛି । ଦଳରେ ୪ ଜଣ ସଦସ୍ୟ ଥିବାବେଳେ ରେଷ୍ଟୁରାଣ୍ଟରୁ ପ୍ରାୟ ୩୦ କେଜି ୬ ଦିନ ତଳର ଚିକେନ୍ କଷା ସହ ଅନ୍ୟ ବାସି ସମାଗ୍ରୀ ମଧ୍ୟ ମିଳିଥିବା ସ୍କ୍ୱାର୍ଡ ପକ୍ଷରୁ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ବାସି ଖାଦ୍ୟ ବିକ୍ରି ନେଇ କିଛି ପର୍ଯ୍ୟଟକଙ୍କ ଅଭିଯୋଗକୁ ଭିତ୍ତି କରି ବିଏମସିର ୪ଜଣିଆ ଟିମ ଚଢାଉ କରିଥିଲା । ଗରାଖ ଖାଇବାକୁ ଆସିଲେ ରେଷ୍ଟୁରାଣ୍ଟ କର୍ମଚାରୀ ବାସି ଚିକେନ୍ କଷା ଗରମ କରି ଦେଉଥିଲେ । ଏହାସହ କିଛି ବାସି ବିରିୟାନୀ ବି ମିଳିଛି । ଫୁଡ ଡିପାର୍ଟମେଣ୍ଟ ଅଧିକାରୀ ୬୯ଧାରାରେ ମୋଟା ଅଙ୍କର ଫାଇନ ଆଦାୟ କରିଛନ୍ତି । ଆଉ ଦୂଷିତ ଖାଦ୍ୟ ବିକ୍ରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି । ସେପଟେ ଏବେଠାରୁ ସହରରେ ଚଢ଼ାଉକୁ ବ୍ୟାପକ କରାଯିବ । ଏନେଇ ସ୍ୱତନ୍ତ୍ର ଦଳ ଗଠିତ ହୋଇଥିବାବେଳେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ ପାଇଛି ।