ଭଞ୍ଜନଗର: କ୍ଷେତ ଜଗିବାକୁ ଯାଇଥିବା ବେଳେ ଜଣେ ଚାଷୀକୁ ଦଳିଦେଇ ମାରିଦେଇଛି ୧୭ ଟିକିଆ ବଣୁଆ ହାତୀପଲ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ଗୁଣ୍ଡୁରିବାଡି ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ସେହି ଗ୍ରାମର ଟୁନା ଗୌଡ଼ । ଘଟଣା ସମୟରେ ସାଥିରେ ଥିବା ଅନ୍ୟ ଚାଷୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗତକାଲି ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଶୁକ୍ରବାର ସକାଳୁ ମୃତଦେହ ଠାବ ହୋଇଥିଲା । ଗତ ୪ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଏକ ବଣୁଆ ହାତୀ ପଲ କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ।
ଫସଲକୁ ହାତୀ ମୁହଁରୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକେ ରାତିରେ ହାତୀପଲକୁ ଘଉଡାଇବା ପାଇଁ ଯାଉଥିଲେ । ଗତକାଲି ରାତିରେ ଗୁଣ୍ଡୁରିବାଡି ଗାଁର ପ୍ରାୟ ୧୨ ଜଣ ଚାଷୀ ଏକାଠି ହୋଇ ନିଜ ନିଜ କ୍ଷେତକୁ ଯାଇଥିଲେ । ହଠାତ୍ ଘଟଣା ସ୍ଥଳକୁ ହାତୀପଲ ଆସି ଏହି ଲୋକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଅନ୍ୟମାନେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିବା ବେଳେ ଟୁନା ଗୌଡଙ୍କୁ ହାତୀପଲ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଭୋର ସମୟରେ ତାଙ୍କର ମୃତଦେହ ଠାବ ହୋଇଥିଲା ।
ଖବର ପାଇ ସ୍ଥାନୀୟ ଲୋକେ ଏବଂ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ôଚଥିଲେ । ବନଖଣ୍ଡୀୟ ଅଧିକାରୀ ସୁଦର୍ଶନ ବେହେରା, ସହକାରୀ ବନ ସଂରକ୍ଷକ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ, ବନପାଳ ବଂଶୀଧର ବିଷୋୟୀ, କାହ୍ନୁ ଖଟେଇ, ବନରକ୍ଷୀ ଓ ସ୍କ୍ୱାଡ କର୍ମଚାରୀ ପହଞ୍ଚିଥିଲେ । ମୃତଦେହକୁ ଜବତ କରି ଭଞ୍ଜନଗର ମେଡିକାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାର ତଦନ୍ତ ଚଳାଇଛି ବନବିଭାଗ । ସରକାରଙ୍କ ନିୟମ ଅନୁସାରେ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି ବନଖଣ୍ଡୀୟ ଅଧିକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି ।