ବ୍ରହ୍ମପୁର: ତପସ୍ୱିନୀ ଓ ଡାକ୍ତର ସୁମିତ ମାମଲା ପୁଣି ନୂଆ ମୋଡ଼ ନେଇଛି । ବୋହୂ ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ପ୍ରବେଶ ନିମନ୍ତେ କୋର୍ଟ ଅନୁମତି ଦେଇଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି । ଅନ୍ୟପକ୍ଷରେ ତପସ୍ୱିନୀ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ ଘରେ ରହିବାକୁ ହକଦାର ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି । କିନ୍ତୁ ପୂର୍ବରୁ ତପସ୍ୱିନୀ ନିର୍ଯାତନା ମାମଲା ଦେଇଛନ୍ତି ଏବଂ ଗୃହ ପ୍ରବେଶ ନିମନ୍ତେ କୋର୍ଟରେ ମାମଲା ବିଚରଣ ଥିଲା ବେଳେ ସେ କିଭଳି ସେହି ଘରେ ରହିବେ ବୋଲି ସୁମିତ୍ଙ୍କ ଓକିଲ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ଏହା ସହ ତପସ୍ୱିନୀ ସେହି ଘରେ ରହିବାକୁ ହକ୍ଦାର, କିନ୍ତୁ ସେ ସେଠି ବର୍ତ୍ତମାନ ରହିବେ ବୋଲି କେଉଁଠି ଉଲ୍ଲେଖ ହୋଇନାହିଁ ବୋଲି ସୁମିତ୍ଙ୍କ ଓକିଲ ଶ୍ରୀ ବେହେରା କହିଛନ୍ତି ।
ଉଭୟ ପକ୍ଷ ଓକିଲଙ୍କ ଟଣାଓଟରା ପରେ ତପସ୍ୱିନୀ, ସୁମିତ୍ ଏବଂ ତାଙ୍କ ଓକିଲଙ୍କ ସହ ମହିଳା ସୁରକ୍ଷା ଅଧିକାରିଣୀ ଓ ପୁଲିସ ପ୍ରଶାସନ ଆଲୋଚନା କରିଥିଲା । ଶେଷରେ ତପସ୍ୱିନୀ ଶ୍ୱଶୁର ଘରେ ପ୍ରବେଶ କରିଥିଲେ । ଅନ୍ୟପକ୍ଷରେ ଶ୍ୱଶୁର ଘର ଲୋକେ ତାଲା ପକାଇବା ଖବର ଶୁଣି ପୁଣି ଥରେ ତପସ୍ୱିନୀଙ୍କ ଶ୍ୱଶୁର ଘର ଅର୍ଥାତ୍ ବ୍ରହ୍ମପୁର ବ୍ରହ୍ମାନଗରରେ ସ୍ଥାନୀୟ ଲୋକେ ଭିଡ଼ ଜମାଇଥିଲେ । ଅନ୍ୟପକ୍ଷରେ ଗତ ଦୁଇଦିନ ପୂର୍ବେ ଜିଲ୍ଲା ଦୌରାଜଜ୍ କୋର୍ଟରେ ହୋଇଥିବା ଶୁଣାଣିର ଏକ ନକଲ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ, ବ୍ରହ୍ମପୁର ଏସ୍ପି, ମହିଳା ସୁରକ୍ଷା ଅଧିକାରିଣୀ ଓ ବୈଦ୍ୟନାଥପୁର ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।
ଏହା ପରେ ଘଟଣାସ୍ଥଳରେ ସନ୍ଧ୍ୟାରେ ମହିଳା ସୁରକ୍ଷା ଅଧିକାରିଣୀ ସଙ୍ଗୀତା ପାତ୍ର, ମାଜିଷ୍ଟ୍ରେଟ ତଥା ବ୍ରହ୍ମପୁର ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ଏସ୍ପି ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଏସ୍ପି ଅସୀମ ପଣ୍ଡା, ଟାଉନ ଏସ୍ଡିପିଓ ବିଷ୍ଣୁ ପତି, ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ ଓ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ପ୍ରମୁଖ ପହଞ୍ଚି ଉଭୟଙ୍କ ପରିବାର ସହ ଆଲୋଚନା କରିଥିଲେ । ଶ୍ୱଶୁର ଘର ଉପର ମହଲାରେ ତପସ୍ୱିନୀଙ୍କୁ ରଖିବା ନିମନ୍ତେ ତାଙ୍କ ଶ୍ୱଶୁର ନିଷ୍ପତ୍ତିି ନେଇ ଉକ୍ତ ଘର ସଫା ସୁତର କରାଇଥିଲେ । ଗୁରୁବାର ଅପରାହ୍ନରେ ତପସ୍ୱିନୀ, ତାଙ୍କ ଓକିଲ ପ୍ରଦୀପ ବେହେରା ଓ ଶ୍ୱଶୁର ପ୍ରମୋଦ କୁମାର ସାହୁଙ୍କ ସହ ଉକ୍ତ କୋଠାକୁ ଯାଇ ଘର କିଭଳି ରହିଛି ଦେଖିଥିଲେ । ଉଭୟଙ୍କ ପରିବାର ଏବଂ ଓକିଲଙ୍କ ସହ ଆଲୋଚନା କରି ପ୍ରଶାସନ ଓ ପୁଲିସ ତପସ୍ୱିନୀଙ୍କୁ ସୁମିତଙ୍କ ଗୃହ ପ୍ରବେଶ କରାଇଛନ୍ତି ।