ବୌଦ୍ଧ: ବୌଦ୍ଧ ଉପ-କାରାଗାରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଆଜୀବନ କାରାଦଣ୍ତ ଭୋଗୁଥିବା କଏଦୀ । ତେବେ କଏଦୀଙ୍କ ଆତ୍ମହତ୍ୟା ନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତକ ହେଲେ ଜମଘାଟି ଗାଁର ରବୀନ୍ଦ୍ର ମେହେର । ରବୀନ୍ଦ୍ର ଜେଲ ଭିତରେ ଥିବା ଶୌଚାଳୟରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ଜଣେ ମାନସିକ ଚିକିତ୍ସକ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ବାଉଁଶୁନୀ ଥାନା ଅନ୍ତର୍ଗତ ଜମଘାଟି ଗାଁର ରବୀନ୍ଦ୍ର ମେହେରଙ୍କୁ ନିଜ ପରିବାରର ଦୁଇ ଜଣ ସଦସ୍ଯଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ଗତ ୨୦୦୫ ମସିହାରେ ଗିରଫ କରିଥିଲା । ଏହାପରେ ତାଙ୍କୁ ବୌଦ୍ଧ ଜେଲରେ ରଖାଯାଇଥିଲା । ୨୦୧୮ ମସିହାରେ ବୌଦ୍ଧ ଜିଲ୍ଲା କୋର୍ଟ ରବୀନ୍ଦ୍ରଙ୍କୁ ଆଜୀବନ କାରାଦଣ୍ତାଦେଶ ଶୁଣାଇଥିଲେ। ତେବେ ଶନିବାର ଦିନ ରାତିରେ ସେ ରାତ୍ରୀ ଭୋଜନ କରିବା ପରେ ଶୌଚାଳୟକୁ ଯାଇଥିଲେ। ଶୌଚାଳୟ ଯିବାର କିଛି ସମୟ ପରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା ।
ଏନେଇ ଖବର ମିଳିବା ପରେ ଜେଲ କର୍ତ୍ତୃପକ୍ଷ ପହଁଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଏନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ପରିବାର ସଦସ୍ୟ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଜବତ କରାଯାଇଥିଲା । ପରେ ବ୍ୟବଚ୍ଛେଦ ଲାଗି ମୃତଦେହକୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପ୍ରକାଶ ଥାଉ କି, ରବୀନ୍ଦ୍ର ଜଣେ ମାନସିକ ରୋଗୀ ଥିଲେ । ୨୦୧୭ ମସିହାରୁ ତାଙ୍କର ଚିକିତ୍ସା ଚାଲିଥିବା ନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପ୍ରଥମେ ତାଙ୍କୁ ସମ୍ବଲପୁର ଜେଲକୁ ପଠାଯାଇ ବୁର୍ଲାରେ ତାଙ୍କ ଚିକିତ୍ସା କରାଯାଉଥିଲା । ଏହାପରେ ୨୦୧୯ ମସିହାରେ ଅଧିକ ଚିକିତ୍ସା ଲାଗୁ ତାଙ୍କୁ କଟକ ଚୌଦରା ଜେଲକୁ ପଠାଯାଇଥିଲା ।
ସେହିପରି, ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁ୍କ୍ତ ଗୋବିନ୍ଦ ସାହୁ ମଧ୍ୟ ଜେଲ ଭିତରେ ଆତ୍ମହତ୍ୟା କରିଥିଲା । ଗୋବିନ୍ଦ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଚି ଜେଲରେ ସଜା କାଟୁଥିଲା । ଜେଲ ପରିସରରେ ଥିବା ରୋଷେଇ ଘର ପାଖ ଏକ ଗଛରେ ଟାୱେଲ ଲଗାଇ ସେ ଝୁଲି ପଡ଼ିଥିଲା । ଅନ୍ୟପଟେ ୨୦୧୮ ମସିହାରେ ଭୁବନେଶ୍ବର ଝାରପଡ଼ା ଜେଲରେ ଜିତେନ୍ଦ୍ର ବିଶ୍ବାଳ ନାମକ ଜଣେ ବିଚାରଧୀନ କଏଦୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।