ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅନ୍ତର୍ଗତ ଚିତ୍ରଡା-ଦାନ୍ତିଆମୁହାଁରେ ଘଟିଛି ଅଭାବନୀୟ ଘଟଣା । ରାସ୍ତା ପାରିଆଉଡା ଛକ ନିକଟରେ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତକଦ୍ୱୟଙ୍କ ପରିଚୟ ମିଳିପାରିନି। ସ୍ଥାନୀୟ ଲୋକମାନେ ଆଜି ସକାଳୁ ପାଣି ଭର୍ତ୍ତି ବିଲ ଭିତରେ ବାଇକ୍ ଦେଖିଥିଲେ । ଏହାପରେ ପାଣି ଭିତରେ ଖୋଜାଖୋଜି କରିବାରୁ ଦୁଇ ଯୁବକଙ୍କୁ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଏ ନେଇ ପୁଲିସ୍ କୁ ଜଣାଇବା ପରେ ଘଟଣା ସ୍ଥଳରେ ପୁଲିସ ଏବଂ ଦମକଳ ବାହିନୀ ପହଞ୍ଚି ଦୁଇ ଯୁବକଙ୍କୁ ମୃତ ଅବସ୍ଥାରେ ପାଣି ଭିତରୁ ଉଦ୍ଧାର କରିଥିଲେ। ଦୁଇ ଯୁବକଙ୍କ ପରିଚୟ ମିଳିପାରିନି। ପାରିପାର୍ଶ୍ୱିକ ସ୍ଥିତିରୁ ଦୁଇ ଯୁବକଙ୍କ ବାଇକ୍ ରାସ୍ତା କଡ଼ରେ ଥିବା ଏକ ଖଜୁରୀ ଗଛରେ ଧକ୍କା ହୋଇ ବିଲକୁ ଛିଟିକି ଥାଇପାରେ ବୋଲି ଅନୁମାନ କରାଯାଉଛି। ଏହାପରେ ଉଭୟ ଯୁବକଦ୍ୱୟ ବିଲ ପାଣିରେ ବୁଡ଼ି ଯାଇଥିବା ବେଳେ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଘଟଣା ଗତକାଲି ବିଳମ୍ବିତ ରାତିର ବୋଲି ଅନୁମାନ କରାଯାଉଛି। ପୁଲିସ୍ ଗାଡି ନମ୍ବର ଯାଞ୍ଚ କରି ଦୁଇ ମୃତକଙ୍କ ପରିଚୟ ପାଇବାକୁ ଚେଷ୍ଟା କରୁଛି। ମୃତ ଯୁବକଦ୍ୱୟ ଆଖପାଖ ଅଞ୍ଚଳର ହୋଇ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି।









