ଲକ୍ଷ୍ନୌ: ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟପ୍ରଦାଙ୍କ ପାଇଁ ବଢିଲା ଅଡୁଆ । ଜୟପ୍ରଦାଙ୍କ ବିରୋଧରେ ଦୁଇଟି ମାମଲାର ଶୁଣାଣି ପାଇଁ ହାଜର ହୋଇ ନ ଥିବାରୁ ରାମପୁରର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି । ଏହି ମାମଲା ୨୦୧୯ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ସହ ଜଡିତ, ଯେତେବେଳେ ସେ ରାମପୁର ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ସାତଥର ଜାମିନ ବିହୀନ ପରୱାନା ଜାରି କରାଯିବା ସତ୍ତ୍ୱେ ଜୟପ୍ରଦା କୋର୍ଟରେ ହାଜର ହୋଇନଥିଲେ ।
ଯାହାର ଶୁଣାଣି କରି ମଙ୍ଗଳବାର କୋର୍ଟ ଏହି ରାୟ ଦେଇଛନ୍ତି । ଜୟପ୍ରଦାଙ୍କ ମନୋଭାବକୁ ନେଇ ଜଜ ଶୋଭିତ ବଂଶଲ କଡା ଆଭିମୁଖ୍ୟ ଗ୍ରହଣ କରିବା ସହ ତାଙ୍କୁ ପଳାଇଥିବା ଘୋଷଣା କରିଛନ୍ତି । ବରିଷ୍ଠ ଆଇନଜୀବୀ ଅମରନାଥ ତିୱାରୀ କହିଛନ୍ତି ଯେ, ୮୨ ଉକ୍ସଚଉ ଅଧୀନରେ ଥିବା ଜୟପ୍ରଦାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାମପୁର ଏମପି-ଏମଏଲଏ କୋର୍ଟ । ଏଥିସହ ସେ ଜୟପ୍ରଦାଙ୍କୁ ଗିରଫ କରିବା ପାଇଁ ଏକ ଟିମ୍ ଗଠନ କରିବାକୁ କୋର୍ଟ ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟିମ୍ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ କରିବେ ।
ତେବେ ଆସନ୍ତା ମାର୍ଚ୍ଚ ୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ ଏହି ଦିନ କୋର୍ଟରେ ଅଭିନେତ୍ରୀଙ୍କୁ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜୟା ପ୍ରଦା ପ୍ରଥମେ ରାଜ୍ୟସଭା ସାଂସଦ ଏବଂ ପରେ ଲୋକସଭା ସାଂସଦ ହୋଇଥିଲେ । ସେ ୨୦୧୯ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଅମରନାଥ ତିୱାରୀ କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଆଚରଣ ବିଧି ଉଲ୍ଲଘଂନ ସହ ଜଡିତ ଦୁଇଟି ମାମଲା କାମ୍ରି ଏବଂ ସ୍ୱାର ପୋଲିସ ଷ୍ଟେସନରେ ଜୟପ୍ରଦାଙ୍କ ବିରୋଧରେ ପଞ୍ଜିକୃତ ହୋଇଛି । ସେ କହିଛନ୍ତି ଯେ ଏହି ମାମଲାରେ ସ୍ୱତନ୍ତ୍ର ସାଂସଦ-ବିଧାୟକ କୋର୍ଟ ଅନେକ ଥର ସମନ ଜାରି କରିଥିଲେ ମଧ୍ୟ ପୂର୍ବତନ ସାଂସଦ ହାଜର ହୋଇନଥିଲେ । ତାଙ୍କ କହିବାନୁସାରେ, ଏହା ପରେ ବିଭିନ୍ନ ତାରିଖରେ ତାଙ୍କ ବିରୋଧରେ ସାତଥର ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା କିନ୍ତୁ ପୋଲିସ ତାଙ୍କୁ ଉପସ୍ଥିତ କରିପାରି ନଥିଲା ।