ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରକୁ ମିଳିଛି ଆଶ୍ବସ୍ତି । ରିୟା ଓ ତାଙ୍କ ପରିବାର ଉପରେ ୨୦୨୦ ମସିହାରେ ସିବିଆଇ ଜାରି କରିଥିବା ଲୁକ ଆଉଟ ସର୍କ୍ୟୁଲାର ନୋଟିସ (ଏଲଓସି)କୁ ବମ୍ବେ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । ୨୦୨୦ ଜୁନ ୧୪ ତାରିଖରେ ଉପନଗରି ବାନ୍ଦ୍ରାରେ ନିଜ ବାସଭବନରେ ଅଭିନେତା ସୁଶାନ୍ତଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୁମ୍ବାଇ ପୁଲିସ ସୁଶାନ୍ତଙ୍କ ଦୁର୍ଘଟଣାବଶତଃ ମୃତ୍ୟୁ ହୋଇଥିବା ନେଇ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା। କିନ୍ତୁ ୨୦୨୦ରେ ସୁଶାନ୍ତଙ୍କ ବାପା ବିହାର ପୁଲିସରେ ଅଭିଯୋଗ କରି କହିଥିଲେ,‘ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଓ ତାଙ୍କର ପରିବାର ସଦସ୍ୟ ତାଙ୍କୁ ଜୀବନ ହାରିବା ପାଇଁ ଉସୁକାଇଥିଲେ।’ଏହାପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଓ ବାପାଙ୍କ ବିରୋଧରେ ୨୦୨୦ରେ ଏଲଓସି ଜାରି କରାଯାଇଥିଲା। ଏଲଓସି ହେତୁ ରିୟା କିମ୍ବା ତାଙ୍କ ଭାଇ କୋର୍ଟଙ୍କ ଅନୁମତି ବିନା ଦେଶ ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଥିଲା। ଏଥିସହିତ ଆଜି ଜଷ୍ଟିସ ରେବତୀ ମୋହିତେ ଡେରେ ଏବଂ ଜଷ୍ଟିସ ମଞ୍ଜୁଶା ଦେଶପାଣ୍ଡେଙ୍କ ଡିଭିଜନ ବେଞ୍ଚ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୌଭିକ ଓ ବାପାଙ୍କ ସପକ୍ଷରେ ଏହି ରାୟ ଦେଇ ଆଶ୍ବସ୍ତି ପ୍ରଦାନ କରିଛନ୍ତି।