ଭୁବନେଶ୍ୱର :କରୋନା ଯୋଗୁ ଭାରତରେ ଦାରିଦ୍ର୍ୟ ସଂଖ୍ୟା ଉତ୍କଟ ହୋଇଛି । ଏହା କୈାଣସି ରାଜନୈତିକ ବୟାନ ବାଜି ନୁହେଁ କିମ୍ବା କୈାଣସି ରାଜନେତାଙ୍କ ବକ୍ତବ୍ୟ ନୁହେଁ ଖୋଦ୍ ବିଶ୍ୱ ବ୍ୟାଙ୍କର ରିପୋର୍ଟରୁ ଏହା ସ୍ପଷ୍ଟ ଜଣାପଡୁଛି । ଯେଉଁଥିରେ ବିଶ୍ୱରେ ୭.୧ କୋଟି ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇ ଯାଇଛନ୍ତି । ଏଥିରେ ପ୍ରାୟ ୮୦ ପ୍ରତିଶତ ଅର୍ଥାତ ୫.୬ କୋଟି ଲୋକ ହେଉଛନ୍ତି ଭାରତର । ବିଶ୍ୱ ବ୍ୟାଙ୍କର “ପଭର୍ଟି ଆଣ୍ଡ ସେୟାରଡ୍ ପ୍ରସପରିଟି୍ ୨୦୨୨” ର ସଦ୍ୟତମ ରିପୋର୍ଟରେ ଏହି ତଥ୍ୟ ପଦାକୁ ଆସିଛି । ଏହା ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଛିା ଏହି ତଥ୍ୟକୁ ଆଧାର କଲେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବର୍ତ୍ତମାନ ଭାରତର ଲୋକେ ଜୀବନ ଅତିବାହିତ କରୁଛନ୍ତି । ଏହା ସୂଚନା ଦେଉଛି ଯେ ବିଶେଷ କରି କୋଭିଡ ସମୟରେ କୋଟି କୋଟି ଭାରତୀୟ ନାଗରିକ ଚାକିରି ହରାଇଛନ୍ତି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକଛତ୍ରବାଦ୍ ନୀତି ହିଁ ଦାୟୀ ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ।
ସେ କହିଛନ୍ତି ଦେଶର ଏହି ଘଡିସନ୍ଧି ମୂହୁର୍ତ୍ତରେ ସମସ୍ତଙ୍କୁ ଏକାଠି କରି ଆଗକୁ ନେବା ଲକ୍ଷ ନେଇ ରାହୁଲ ଗାନ୍ଧୀ ଯେଉଁ ଭାରତ ଯୋଡୋ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ତାହାକୁ ଭିନ୍ନ ଭାବରେ ଚିତ୍ରଣ କରାଯାଇ ସମାଲୋଚନା କରାଯାଉଛି । ବିରୋଧୀଙ୍କ ଏକମାତ୍ର ଲକ୍ଷ୍ୟ ରାହୁଲଙ୍କ ଏହି କାର୍ଯ୍ୟକ୍ରମ ଯେପରି ସଫଳ ନ ହେଉ । ବର୍ତ୍ତମାନ ଭାରତ ଯୋଡୋ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ ଆରମ୍ଭ କରି କାଶ୍ମୀର ଯାଏଁ ପଦଯାତ୍ରା କାର୍ଯ୍ୟକ୍ରମ ଚଳାଇଛନ୍ତି । ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଏଭଳି ସ୍ଥିତିରେ ଧନୀ ଦରିଦ୍ର୍ୟଙ୍କ ମଧ୍ୟରେ ଅର୍ଥନୈତିକ ତାରତମ୍ୟ କମାଇବାକୁ ଭାରତ ସରକାର ବାଧ୍ୟ । କେବଳ ଭାରତର ସରକାର ନୁହେଁ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ଉଦ୍ୟମ କରିବାର ଆବଶ୍ୟକ ରହିଛି । ସାମ୍ବିଧାନିକ ବ୍ୟବସ୍ଥାକୁ ଉଲଂଘନ ଯେତେବେଳେ କରାଯାଇଛି ଜନସାଧାରଣଙ୍କ ମଧ୍ୟରେ ଅର୍ଥନୈତିକ ବ୍ୟବଧାନ ଏତେ ପରିମାଣରେ ରହିବା ଖାଲି ସମ୍ବିଧାନ ଉଲଂଘନ ନୁହେଁ ଏହା ଗଣତନ୍ତ୍ରର ପରିପକ୍ତିଂ ଅଟେ । ୧୯୪୯ ମସିହାରେ ସମ୍ବିଧାନ ସଭାରେ ଆମ୍ବେଦକର ସ୍ପଷ୍ଟ ଭାବେ କହିଥିଲେ ଯଦି ଧନୀ ଦରିଦ୍ର୍ୟଙ୍କ ମଧ୍ୟରେ ତାରତମ୍ୟ କମି ନ ଯାଏ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଯେଉଁ ଗଣତନ୍ତ୍ରର ଶାସନ ଆମେ ଦେଶକୁ ଦେବାକୁ ଯାଉଛୁ ତାହା ଭୁଶୁଡି ପଡିବ । ପ୍ରକୃତରେ ଆମେ ଯଦି ଦେଖିବା ଗଣତନ୍ତ୍ରର ଶାସନ ବୋଲି ଭାରତ ବର୍ଷରେ କି ଓଡିଶାରେ କିଛି ନାହିଁ । ଏକଛତ୍ରବାଦ ଶାସନ ଚାଲିଛି । ଗଣତନ୍ତ୍ର ଶାସନକୁ ଯେଉଁ ସରକାର, ସେ ରାଜ୍ୟରେ ହେଉ କି କେନ୍ଦ୍ରରେ ହେଉ ସମ୍ବିଧାନକୁ ଉଲଂଘନ କରି ଏକଛତ୍ରବାଦ ପ୍ରତିଷ୍ଠା କରିବାକୁ ଚେଷ୍ଟା କରେ ସେମାନେ ଶାସନ ଭାର ସମ୍ଭାଳିବା ନୈତିକତାର ବିରୋଧୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଲା ଭୋକିଲା ପେଟକୁ ମୁଠାଏ ଦେଇ ଭୋଟ ଜିତିବା । ଉଭୟ ସମ୍ବିଧାନ ଓ ଗଣତନ୍ତ୍ରର ଦ୍ୱାହି ଦେଇ ଏକଛତ୍ରବାଦ ପ୍ରତିଷ୍ଠା କରି ଭୋକିଲା ଜନତାଙ୍କୁ ଶୋଷଣ କରୁଛନ୍ତି ।
ବର୍ତ୍ତମାନ ଦେଖାଯାଇଛି ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ୩ଟି ରାଜ୍ୟରେ ବିପୁଳ ଭାବରେ ଜନ ସମର୍ଥନ ହାସଲ କରିଛି । ଗୋଟେ ସମୟରେ ୩ ହଜାର ୫ଶହ କିଲୋମିଟରରୁ ଅଧିକ ରାସ୍ତା ପଦଯାତ୍ରା କରିଲା ବେଳେ ଦେଖାଯାଇଛି ଭାରତ ବର୍ଷରେ ଥିବା ବିଭିନ୍ନ ତାରତମ୍ୟକୁ ଦୂର କରିବା ପାଇଁ ବିଭିନ୍ନ ଶ୍ରେଣୀ ଓ ଗୋଷ୍ଠୀ ଏକଜୁଟ ହେବାରେ ଲାଗିଛନ୍ତି , ଏଥିରେ କୈାଣସି ସନ୍ଦେହ ନାହିଁ । ଏହି ପଦଯାତ୍ରାର ଲକ୍ଷ୍ୟ ଶାସନ ଭାର ହାସଲ କରିବାର ନୁହେଁ ଲୋକଙ୍କୁ ଏକତ୍ରିତ କରି ଦେଶରେ ସମ୍ବିଧାନ ପ୍ରତିଷ୍ଠା କରିବା ଏବଂ ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧିକୁ ମୂଳୋତ୍ପାଟନ କରି ସମ୍ବିଧାନ ଅନୁଯାୟୀ ଶାସନ ପ୍ରତିଷ୍ଠା କରିବା । ଓଡିଶାବାସୀ ଓ ଦେଶବାସୀ ଆଗାମୀ ଦିନରେ ହେବାକୁ ଯାଉଥିବା ଉପନିର୍ବାଚନ ଓ ବିଭିନ୍ନ ରାଜ୍ୟ ନିର୍ବାଚନରେ ବିଜେପି ଓ ବିଜେଡିକୁ ମୂଳୋତ୍ପାଟନ କରି ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ ଆଗେଇ ଆସନ୍ତୁ । ଏକ ସୁଦୃଢ ଶକ୍ତିଶାଳୀ ଦେଶ ପ୍ରତିଷ୍ଠା କରିବାକୁ ସଙ୍କଳ୍ପ ନେବାକୁ ବିଧାୟକ ଶ୍ରୀ ମିଶ୍ର ଆହ୍ୱାନ ଜଣାଇଛନ୍ତି ।