ପୁରୀ : ଗତକାଲି ପବିତ୍ର ଅକ୍ଷୟ ତୃତୀୟ ଅବସରରେ ତିନି ରଥର ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା। ରଥ ନିର୍ମାଣ ପାଇଁ ଭୋଇ ସେବାୟତ ମାନେ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ କରତି ସେବାୟତ ମାନେ ତୁମ୍ବ ନିର୍ମାଣ ପାଇଁ ଫାଶି କାଠ ଚିରଟ ଆରମ୍ଭ କରିଛନ୍ତି। ତେବେ ପ୍ରଥମ ଦିନରେ ତିନି ରଥ ପାଇଁ ତିନୋଟି ତୁମ୍ଭ କଟାଯାଇଛି। ରଥଖଳାର ଚତୁପାର୍ଶ୍ବକୁ ଧଳା କପଡ଼ା ଗୁଡାଯାଇ ରଥ ନିର୍ମାଣ କାର୍ଯ୍ୟ କରାଯାଉଛି। ପ୍ରାଥମିକ ଭାବରେ ତିନି ରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବା ବେଳେ ୪୨ ଗୋଟି ତୁମ୍ବର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ବକର୍ମା ଓ କରତ ସେବାୟତ। ସେହିପରି ରଥ ନିର୍ମାଣରେ ସମ୍ପୃକ୍ତ ସମସ୍ତ ସେବାୟତ ମାନେ ଅତ୍ୟନ୍ତ ନିଷ୍ଠାର ସହ ଶୁଦ୍ଧପୁତ ଭାବରେ ରଥନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ସାଧାରଣ ଲୋକଙ୍କ ଠାରୁ ରଥଖଳାକୁ ଦୂରରେ ରଖିବା ପାଇଁ ସମଗ୍ର ରଥଖଳାକୁ ଧଳାକପଡ଼ା ଦ୍ୱାରା ଆଦୃତ କରି ରଖାଯାଇଛି। ତିନି ରଥ ପାଇଁ ଭୋଇ ସେବାୟତ ମାନେ ୬ଟି ତୁମ୍ବ ଯୋଗାଇବା ପରେ ରଥର ମୁଖ୍ୟ ବିଶ୍ଵକର୍ମା ନିର୍ଦ୍ଧିଷ୍ଟ ମାପ ଅନୁଯାୟୀ ତୁମ୍ବ ଗୁଡ଼ିକ ନିର୍ମାଣ କରୁଛନ୍ତି।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ
ତେବେ ତୁମ୍ବ ନିର୍ମାଣ ସରିବା ପରେ ଏଥିରେ ବିନ୍ଧ ଅନୁକୂଳ କରାଯାଇ ଖୋଦେଇ ସହ ପଇ ଓ ଅର ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯିବ। ରଥ ସଂହିତା ଓ ଶିଳ୍ପ ଶାସ୍ତ୍ର ମୁତାବକ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରଥ ଅମିନ ଓ ବିଶ୍ଵକର୍ମା ମହାରଣାଙ୍କ ନିର୍ଦ୍ଦେଶରେ କରତିଆ ସେବକ ତୁମ୍ବ କାଟିବା କାର୍ଯ୍ୟ ଜାରି ରଖିଛନ୍ତି। ଏପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ରଥ ନିର୍ମାଣ କାର୍ଯ୍ୟ ଦେଖି ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି। ରଥ ସଂହିତା ଅନୁସାରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଆରମ୍ଭ ଓ ଭଉଁରୀ ଦିନ ତିନି ରଥର ଅଖ ଚକ ସଂଯୋଗ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ସ୍ନାନ ପୂର୍ଣ୍ଣିମା ଦିନ ତିନି ରଥର ୪ ନାହାକା ଉଠିବା ପରମ୍ପରା ରହିଛି। ସେପଟେ ରଥ ଖଳାରେ ବାହାର ଲୋକ ନ ପଶିବା ପାଇଁ କଟକଣା ହୋଇଛି।ସିସିଟିଭି ଲଗାଯାଇଥିବା ବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ରଥ ନିର୍ମାଣ ର ଦ୍ୱତୀୟ ଦିବସ ରେ ୧୦ ଜଣ ମହାରଣା, ୬ ଜଣ ଭୋଇ, ୪ ଜଣ କରତିଆ ଏବଂ ୩ ଜଣ କମାର ସେବକ କାର୍ଯ୍ୟ ରେ ଲାଗିଛନ୍ତି।