ଭୁବନେଶ୍ୱର: ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ବାୟୁମଣ୍ଡଳର ତଳ ଭାଗରେ ଥିବା ଥଣ୍ଡା ଓ ଶୁଷ୍କ ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି । ଯାହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ୭ ଜିଲ୍ଲାରେ ଶୀତ ଲହରୀର ବେଶୀ ସମ୍ଭାବନା ଥିବାରୁ ଏଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଏବଂ ନୂଆପଡ଼ା । ଏହି ଜିଲ୍ଲାମାନଙ୍କରେ ରାତି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୪.୫ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିବା ନେଇ ଅନୁମାନ କରାଯାଉଛି ।
ତେଣୁ ଆଗାମୀ ଦୁଇ ଦିନ ଯାଏ ରାତି ତାପମାତ୍ର ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ହେବାର ସମ୍ଭାବନା ରହୁଛି । ପରବର୍ତ୍ତୀ ସମୟରେ ଏଥିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଗତ ୨୪ ଘଣ୍ଟାର ସ୍ଥିତି ଦେଖିଲେ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହୋଇଛି । ପାଖାପାଖି ୧୨ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । କନ୍ଧମ।।ଳ ଜିଲ୍ଲା ଫୁଲବାଣୀ ଠାରେ ରାତି ତାପମାତ୍ର ସର୍ବନିମ୍ନ ୫ ଡିଗ୍ରୀ ରେକର୍ଡ କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡ଼ା, ରାୟଗଡ଼ା, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାରେ ଅଧିକ ପରିମାଣର ଥଣ୍ଡା ଅନୁଭୂତ ହୋଇଥିବା ବେଳେ ଉପକୂଳ ଓଡ଼ିଶାର ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ମୋଟ ଉପରେ ୬ଟି ସ୍ଥାନରେ ରାତି ତାପମାତ୍ର ୮ ଡିଗ୍ରୀ ତଳେ ରେକର୍ଡ ହୋଇଛି ।
ଏହି ସ୍ଥାନଗୁଡ଼ିକ ହେଉଛି ଫୁଲବାଣୀ ୫ ଡିଗ୍ରୀ, ଦାରିଙ୍ଗିବାଡ଼ି ୬.୫ ଡିଗ୍ରୀ, ଝାରସୁଗୁଡ଼ା ୭.୧ ଡିଗ୍ରୀ, ଟିଟିଲାଗଡ଼ ୭.୩ ଡିଗ୍ରୀ, ସୁନ୍ଦରଗଡ଼ ୭.୫ ଡିଗ୍ରୀ ଓ କେନ୍ଦୁଝର ୭.୬ ଡିଗ୍ରୀ । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟାରେ ୦.୨ ରୁ ୪.୪ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରରେ ବୃଦ୍ଧି ଘଟିଥିବା ବେଳେ ଉପକୂଳ ଅଞ୍ଚଳରେ ପାଖାପାଖି ୦.୨ରୁ ୧.୫ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରରେ ବୃଦ୍ଧି ଘଟିଛି । ବର୍ତ୍ତମାନ ଓଡ଼ିଶା ଉପରେ ପାଣିପାଗର କୌଣସି ବିଶେଷ ପ୍ରଭାବ ନାହିଁ । ତେଣୁ ଆଗାମୀ ପାଞ୍ଚଦିନ ଯାଏ ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଉପକୂଳ ଅଞ୍ଚଳ କଥା ଦେଖିଲେ ରାଜଧାନୀ ଭୁବନେଶ୍ୱରରେ ଗତ ତିନି ଦିନରେ ବେଶୀ ଶୀତ ଅନୁଭୂତ ହୋଇଛି । ତିନି ଦିନ ଭିତରେ ଦୁଇଥର(୨୧ ଏବଂ ୨୩) ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୨୦୧୧ ପରଠାରୁ ଏହି ୧୦ ଡିଗ୍ରୀ ତାପମାତ୍ରା ହେଉଛି ଡିସେମ୍ବର ମାସରେ ତୃତୀୟ ସର୍ବନିମ୍ନ । ୩୦ ଡିସେମ୍ବର ୨୦୧୮ରେ ଭୁବନେଶ୍ୱରେ ସବୁଠୁ ସର୍ବନିମ୍ନ ୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଯାହାକି ସର୍ବକାଳୀନ ରେକର୍ଡ ହୋଇ ରହିଛି । ସେହିଭଳି ୩୧ ଡିସେମ୍ବର ୨୦୧୯ରେ ୯.୮ ଡିଗ୍ରୀ(ଦ୍ୱିତୀୟ ସର୍ବନିମ୍ନ) ଏବଂ ଚଳିତ ୨୧ ଏବଂ ୨୩ ଡିସେମ୍ବରରେ ୧୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ରେକର୍ଡ ହୋଇଛି ।