28.1 C
Bhubaneswar
Thursday, September 19, 2024
Homeସ୍ୱାସ୍ଥ୍ୟକ୍ୟାନ୍ସର ହସ୍ପିଟାଲ୍‌ର ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କ୍ୟାନ୍ସର ହସ୍ପିଟାଲ୍‌ର ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ବାଗ୍‌ଚୀ-ଶଙ୍କର କ୍ୟାନ୍ସର୍ ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ୨୦୨୩ ମହାପ୍ରଭୁଙ୍କ ରଥଯାତ୍ରା ସୁଦ୍ଧା ହସ୍ପିଟାଲରେ ରୋଗୀ ସେବା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ସମୀକ୍ଷାବେଳେ ରାଜ୍ୟର ଦକ୍ଷତା ବିକାଶ ଅଧ୍ୟକ୍ଷ ତଥା ହସ୍ପିଟାଲ ଓ କରୁଣାଶ୍ରୟର ପ୍ରମୁଖ କର୍ଣ୍ଣଧାର ଡକ୍ଟର ସୁବ୍ରତ ବାଗ୍‌ଚୀ ମଧ୍ୟ ଉପସ୍ଥିତ ଥିଲେ ।

ଓଡ଼ିଶାରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅନ୍ୟ ଏକ ମାଇଲଖୁଣ୍ଟ ଭାବେ ଗଢ଼ି ଉଠୁଛି ବାଗ୍‌ଚୀ-ଶଙ୍କର କ୍ୟାନ୍ସର୍ ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର । ଏହାର ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ହସ୍ପିଟାଲର ପ୍ରଥମ ପର୍ଯ୍ୟାୟ ନିର୍ମାଣ ଶେଷ ପୂର୍ବକ ରୋଗୀ ସେବା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ହସ୍ପିଟାଲ୍ ପାଇଁ ରାଜ୍ୟ ସରକାର ଇନ୍ଫୋଭ୍ୟାଲି-୨ ରେ ଯୋଗାଇ ଦେଇଥିବା ୨୦ ଏକର ପରିମିତ ଅଞ୍ଚଳ ପରିଦର୍ଶନ କରି ମୁଖ୍ୟ ଶାସନ ସଚିବ ନିର୍ମାଣ କାର୍ଯ୍ୟର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି ।

ଇତିମଧ୍ୟରେ ଏହି ହସ୍ପିଟାଲକୁ ୭୫୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ନିର୍ମାଣ କାମ ଆରମ୍ଭ ହୋଇଛି । ପୂର୍ବରୁ ଏହା ୫୦୦ ଶଯ୍ୟା ପାଇଁ ଯୋଜନା କରାଯାଇଥିଲା । ଇତି ମଧ୍ୟରେ ବର୍ହିବିଭାଗ ଚିକିତ୍ସା କୋଠା ଏବଂ ଗ୍ରାଉଣ୍ଡ ଫ୍ଲୋର କାମରେ ଦ୍ରୁତ ଅଗ୍ରଗତି ହୋଇଛି । ଚଳିତ ବର୍ଷ ମେ ମାସ ଶେଷ ସୁଦ୍ଧା ଗ୍ରାଉଣ୍ଡ ଫ୍ଲୋରର ଛାତ ପଡ଼ିବ ବୋଲି କାର୍ଯ୍ୟରତ ଇଞ୍ଜିନିଅର ସୂଚନା ଦେଇଛନ୍ତି । ଏହି ହସ୍ପିଟାଲରେ ରୋଗୀ ଏବଂ ସେମାନଙ୍କ ସହାୟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ । କ୍ୟାଣ୍ଟିନ୍, ଶୌଚାଳୟ, ପାର୍କିଂ ସ୍ଥାନ, ଅତ୍ୟାବଶ୍ୟକୀୟ ପଦାର୍ଥ ସରଞ୍ଜାମ ଦୋକାନ ଆଦି ଉପଲବ୍ଧ ହେବ । ହସ୍ପିଟାଲ୍ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ସବୁଜ ବଳୟ ସୃଷ୍ଟି ସହ ପରିସର ଭିତରେ ଥିବା ପ୍ରାକୃତିକ ଖାଲୁଆ ଯାଗାକୁ ଏକ ସୁନ୍ଦର ପୁଷ୍କରିଣୀ ଭାବେ ବିକଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି

ନିର୍ମାଣ ପାଇଁ ମାନବସମ୍ବଳ, ଯନ୍ତ୍ରପାତି ଆଦିର ଉପଲବ୍ଧି ବିଷୟରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି । ଏସବୁ ବିଷୟରେ କିଛି ଅସୁବିଧା ସମସ୍ୟା ଅଛି କି ନାହିଁ, ସେନେଇ କାର୍ଯ୍ୟରତ ଇଞ୍ଜିନିଅର ଏବଂ ସୁପରଭାଇଜରଙ୍କୁ ପଚାରି ବୁଝିଛନ୍ତି । ଏହି ହସ୍ପିଟାଲ୍ ନିର୍ମାଣରେ ପ୍ରାୟ ୨୨୦ କୋଟି ଟଙ୍କା ବିନିଯୋଗ ହେବାନେଇ ଆକଳନ କରାଯାଇଛି । ପରେପରେ ମୁଖ୍ୟ ଶାସନ ସଚିବ ଏବଂ ଡକ୍ଟର ବାଗ୍‌ଚୀ ଇନ୍ଫୋଭ୍ୟାଲି-୨ ରେ ବାଗ୍‌ଚୀ କରୁଣାଶ୍ରୟ ଉପଶମ ଚିକିତ୍ସା କେନ୍ଦ୍ର ପରିସର ଯାଇ ସେଠାରେ ମଧ୍ୟ ନିର୍ମାଣ ଓ ସେବା ଯୋଗାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରାୟ ୨୧୦ କୋଟି ଟଙ୍କା ଆକଳନରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୨୦୨୩ ଜୁଲାଇ ମାସ ଶେଷସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାକୁ ୧୫୦ ଶଯ୍ୟା ବିଶିଷ୍ଟ ଉପଶମ ଚିକିତ୍ସା କେନ୍ଦ୍ର ଭାବେ ବିକଶିତ କରାଯିବ । ଶିକ୍ଷା ଓ ଗବେଷଣା ପାଇଁ ଏଥିରେ ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମର ବ୍ୟବସ୍ଥା କରାଯିବ ଚିକିତ୍ସା ଆରମ୍ଭ କରାଯାଇଛି ବୋଲି ଡକ୍ଟର ବାଗ୍‌ଚୀ କହିଛନ୍ତି । ଏହି କେନ୍ଦ୍ରରେ ଗୃହଭିତ୍ତିକ ସେବା ଯୋଗାଣ ଏବଂ ବର୍ହିବିଭାଗ ଚିକିତ୍ସା ପାଇଁ ଆବଶ୍ୟକୀୟ ଡାକ୍ତର, ନର୍ସ, ଫାମାସିଷ୍ଟ, ଗାଡ଼ି ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଆଦିରେ ପରିମାଣାତ୍ମକ ଓ ଗୁଣାତ୍ମକ ବିକାଶ କରାଯାଇଛି ।

ଚଳିତ ମାର୍ଚ୍ଚ ମାସରୁ ପ୍ରତି ସପ୍ତାହର ଶୁକ୍ରବାର ଦିନ ଏହି ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଇଛି । ଏହି ଅସ୍ଥାୟୀ ଗୃହସେବା ଚିକିତ୍ସା କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବ ଗତ ଡିସେମ୍ବର ମାସରେ ଉଦଘାଟନ କରିଥିଲେ । ଇତି ମଧ୍ୟରେ ୧୨୮ ଜଣ ରୋଗୀଙ୍କୁ ଚିକିତ୍ସା କେନ୍ଦ୍ର ପକ୍ଷରୁ ଗୃହଭିତ୍ତିକ ଉପଶମ ଚିକିତ୍ସା ଓ ଯତ୍ନ ଯୋଗାଇ ଦିଆଯାଇଛି । ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍, ଏମ୍ସ୍, କ୍ୟାପିଟାଲ୍ ହସ୍ପିଟାଲ୍ ଆଦିରୁ ଶେଷ ପର୍ଯ୍ୟାୟ ଉପମଶମ ଚିକିତ୍ସା ଦରକାର କରୁଥିବା ରୋଗୀମାନଙ୍କୁ ଏଠାକୁ ପଠାଯାଉଛି । ବର୍ତ୍ତମାନ ସୁଦ୍ଧା ୩୬ ଜଣ ଏପରି ରୋଗୀଙ୍କୁ ବର୍ହିବିଭାଗ ରେଫେରାଲ୍ କେସ୍ ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି ।

 ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ସମୟରେ ଡକ୍ଟର ସୁବ୍ରତ ବାଗ୍‌ଚୀଙ୍କ ସମେତ ହସ୍ପିଟାଲର ମୁଖ୍ୟ ଆର୍କିଟେକ୍ ସୁନ୍ଦର ରମନ୍, କରୁଣାଶ୍ରୟର ମୁଖ୍ୟ ଆର୍କିଟେକ୍ ଏନ୍. ମେଡାପ୍ପା, କରୁଣାଶ୍ରୟର ପରିଚାଳକ ଜ୍ଞାନ ରଂଜନ ମହାପାତ୍ର, ପ୍ରକଳ୍ପ ପରିଚାଳକ ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ କ୍ଷେତ୍ରସ୍ତରୀୟ ସ୍ଥିତି ସହ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking