ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏମ୍କେସିଜି)ର ପ୍ରସୂତି ଓ ସ୍ତ୍ରୀ ବିଭାଗରରେ ଚିକିତ୍ସା ହୋଇଥିବା ଜଣେ ରୋଗୀଙ୍କ ଭାଇଙ୍କଠାରୁ ଲାଞ୍ଚ ନେବା ଘଟଣାର ତଦନ୍ତ ହେବ । ଏମ୍କେସିଜି କୁଳପତି ରାଜେନ୍ଦ୍ର ମିଞ୍ଜ୍ ଘଟଣାର ତଦନ୍ତ କରିବେ ବୋଲି ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ଗତ କାଲି ଉକ୍ତ ବିଭାଗକୁ ଯାଇ ହସ୍ପିଟାଲ ମ୍ୟାନେଜର କିଛି ରୋଗୀଙ୍କୁ ନର୍ସିଂ ଅଫିସର ଟଙ୍କା ମାଗିବା ଘଟଣାରେ ପଚରାଉଚରା କରିଥିଲେ । ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଭାଇ ଚିକିତ୍ସା ବାବଦକୁ ଟଙ୍କା ଦେଇଥିବା କହିଥିଲେ । ସେହି ସମୟରେ ୱାର୍ଡର ସିସିଟିଭି ଫଟେଜ୍ ଯାଞ୍ଚ ବେଳେ ଡ୍ୟୁଟି ରୁମ୍ ଭିତରକୁ ରୋଗୀଙ୍କ ସମ୍ପର୍କୀର ଭାଇ ଯାଇଥିବା ଜଣାପଡ଼ିଛି । ଅନ୍ୟପଟେ କାର୍ଯ୍ୟରତ ଦୁଇ ନର୍ସିଂ ଅଫିସର୍ ଜଣେ ଆଶାକର୍ମୀଙ୍କ ଜରିଆରେ ତାଙ୍କଠାରୁ ୫ ଶହ ଟଙ୍କା ନେଇଥିବା ଏମ୍କେସିଜିରେ କାର୍ଯ୍ୟରତ ଜଣେ ନର୍ସିଂ ଅଫିସରଙ୍କୁ କହିଥିଲେ ।
ପରବର୍ତ୍ତୀ ସମୟରେ ଉକ୍ତ ନର୍ସିଂ ଅଫିସର ଜଣଙ୍କ ଘଟଣାପରେ ନର୍ସିଂ ଅଧୀକ୍ଷକ ପୂର୍ଣ୍ଣମୀ ନାୟକଙ୍କୁ ଜଣାଇଥିଲେ । ପରେ ନର୍ସିଂ ଅଧୀକ୍ଷକ ରାତ୍ରି ସମୟରେ କାର୍ଯ୍ୟରତ ଥିବା ଦୁଇ ନର୍ସିଂ ଅଫିସର ଘଟଣା ସମ୍ପର୍କରେ ପଚାରିଥିବାବେଳେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଜଣାଇଥିଲେ । ଏହା ସହ ସେମାନେ ଲିଖିତ ଆକାରରେ କ୍ଷମା ପ୍ରାର୍ଥନା ସହ ଉକ୍ତ ରୋଗୀଙ୍କ ସମ୍ପର୍କୀୟଙ୍କୁ ଟଙ୍କା ଫେରିଥିଲେ । ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହେବ ସେନେଇ ଦୁଇ ନର୍ସିଂ ଅଫିସର ଲିଖିତ ପ୍ରତିଶ୍ରୁତି ଦେଇଥିବା ନର୍ସିଂ ଅଧୀକ୍ଷକ ପୂର୍ଣ୍ଣମୀ ନାୟକ ଗତ କାଲି କହିଥିଲେ । ଏହି ସମସ୍ତ ପ୍ରମାଣଙ୍କୁ ଆଧାର କରି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ନର୍ସିଂ ଅଫିସରଙ୍କୁ ନିଲମ୍ବନ ନିମନ୍ତେ ଯୋଜନା ଚାଲିଥିବା ଏମ୍କେସିଜିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଏହା ସହ ପ୍ରସୂତି ଓ ସ୍ତ୍ରୀ ବିଭାଗର ଜଣେ ଡାକ୍ତରଙ୍କୁ ବଦଳି କରିବା ନିମନ୍ତେ ଚିଠି ଲେଖାଯିବ ବୋଲି ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ପୂର୍ବେ ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ଗର୍ଭବତୀ ଏମ୍କେସିଜିର ପ୍ରସୂତି ଓ ସ୍ତ୍ରୀ ବିଭାଗରେ ପ୍ରସୂତି ନିମନ୍ତେ ଭର୍ତ୍ତି ହୋଇଥିଲେ । ୨୫ ତାରିଖ ରାତିରେ ତାଙ୍କର ଅସ୍ତ୍ରୋପଚାର ହୋଇ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଏହି ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଉକ୍ତ ଅସ୍ତ୍ରୋପଚାର ଗୃହ(ଓଟି)ରେ କାର୍ଯ୍ୟରତ ଥିବା ଦୁଇ ନର୍ସିଂ ଅଫିସର ଜଣେ ଆଶା କର୍ମୀଙ୍କ ଯୋରଜବରଦସ୍ତି ୫ ଶହ ଟଙ୍କା ମାଗିଥିଲେ । ପରେ ଉକ୍ତ ଦୁଇ ନର୍ସିଂ ଅଫିସର ବାଧ୍ୟ କରିବାରୁ ପ୍ରସୂତି ମହିଳାଙ୍କ ଭାଇ ଟୁକୁନା ବେହେରା ଆଶା କର୍ମୀଙ୍କ ଜରିଆରେ ଟଙ୍କା ଦେଇଥିଲେ ।