ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଜଣେ ଯୁବତୀଙ୍କୁ ପ୍ରଥମେ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅପହରଣ ହୋଇଥିବା ଯୁବତୀଙ୍କ ଅନୁସାରେ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ଅଞ୍ଚଳର ଅମିତ ତାଣ୍ଡି ତାଙ୍କୁ ପ୍ରେମରେ ଫସାଇ ପରେ ବିବାହ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ମାର୍ଚ୍ଚ ୩୦ ତାରିଖରେ ପ୍ରେମିକ ଜଣକ ଯୁବତୀଙ୍କୁ ଧର୍ମଗଡ଼ ନେଇଥିଲେ । ସେଠାରୁ ପୁଣି ଖରିଆର ରୋଡ୍ ନେଇ ଗୋଟିଏ ଘରେ ତିନି ଦିନ ରଖିଥିଲେ । ସେଠାରେ ଲଳିତ ନାମକ ଜଣେ ଯୁବକଙ୍କ ସହ ରାୟପୁର ନେଇ ଗୋଟିଏ ଲଜ୍ରେ ରଖିଥିଲେ ।
ସେଠାରୁ ଅମିତ ପରିବାରକୁ ଫୋନ୍ କରି ଉକ୍ତ ଯୁବତୀଙ୍କ ସହ ବିବାହ କରିଥିବା ନେଇ କହିଥିଲେ । ଏହା ଜାଣିବା ପରେ ପରିବାର ଲୋକେ ଝିଅର ନିଖୋଜ ନେଇ ପାପଡ଼ାହାଣ୍ଡି ଥାନାରେ ଏତଲା ଦେଇଥିଲେ । ତେବେ ରାୟପୁରରେ ବି ଉକ୍ତ ଯୁବତୀଙ୍କୁ ବେଶୀ ଦିନ ରଖି ନ ଥିଲେ ଅମିତ । ସେଠାରୁ ନାଗପୁର ଏବଂ ପୁଣି ସେଠାରୁ ଗୁଜୁରାଟ ନେଇ ଯାଇଥିଲେ । ସେଠାରେ ଯୁବତୀଙ୍କୁ ୭୦ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଏଥିସହିତ ସେ ଦୁଷ୍କର୍ମର ଶିକାର ହୋଇଥିବା କହିଛନ୍ତି ।