କୋକସରା: ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ। କାନ୍ଦ ବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ। କୋକସରା ଥାନା ଅନ୍ତର୍ଗତ ସିର୍ଲିଗୁଡା ଗ୍ରାମର ଯୁବକ ତେଜରାଜ ନାଏକଙ୍କ ସିକନ୍ଦରାବାଦରେ ମୃତ୍ୟୁ ହୋଇଥିଲା। ତାଙ୍କର ମରଶରୀର ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସୂଚନାନୁଯାୟୀ, କୋକସରା ଥାନା ଅନ୍ତର୍ଗତ ସିର୍ଲିଗୁଡା ଗ୍ରାମର ଯୁବକ ତେଜରାଜ ନାଏକ ଗତ ୭ ମାସ ତଳେ ଦାଦନ ଖଟିବାକୁ ଯାଇ ସିକନ୍ଦରାବାଦ ନିକଟରେ ଥିବା କାମପାଳିର ଓମ ସାଇ ନାମକ ଏକ ଠିକାସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ।
ଶନିବାର ଦିନ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା। ସାଥି ଶ୍ରମିକମାନେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ଘର ଲୋକେ ଯୁବକଙ୍କ ଶବ ଆଣିବାକୁ ସିକନ୍ଦରାବାଦ ଯାଇଥିଲେ। ଠିକାସଂସ୍ଥାର ସହାୟତାରେ ସୋମବାର ଭୋର ସମୟରେ ଏକ ଆମ୍ବୁଲାନ୍ସ ଯୋଗେ ତେଜରାଜଙ୍କ ମରଶରୀର ଗାଁରେ ପହଞ୍ଚିଛି। ଏହାପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।