କଟକ: ଚୌଦ୍ୱାରର ପ୍ରସିଦ୍ଧ ରୂପ ଯାତ୍ରା ଗତକାଲି ରାତ୍ରିରେ ଧୁମ୍ଧାମ୍ରେ ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ କେନାଲ୍ରେ ବୁଡି ୩ ଜଣ ସାଙ୍ଗଙ୍କ ଅକାଳ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଚାଉଳିଆଗଞ୍ଜର ତ୍ରିଲୋଚନ ମହାଲ, ନିଲୁ ସାହୁ ଏବଂ ଚୌଦ୍ୱାର ଅଞ୍ଚଳର ବାଦଲ ସାହୁ । ଆଜି ସକାଳୁ ଅଗ୍ନିଶମ ବାହିନୀ,ଓଡ୍ରାଫ ଓ ପୁଲିସ ଟିମ୍ ଦୀର୍ଘ ସମୟ ଅପରେସନ୍ ପରେ ୩ ଜଣଙ୍କର ମୃତଦେହକୁ ଉଦ୍ଧାର କରିଛି । ପୁଲିସ ସେମାନଙ୍କ ଶବକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିôବା ଜଣାପଡ଼ିଛି । ସୂଚନା ଅନୁଯାୟୀ କଟକ ଚାଉଳିଆଗଞ୍ଜର ଦୁଇବନ୍ଧୁ ତ୍ରିଲୋଚନ ଓ ନିଲୁ ଚୌଦ୍ୱାର ଅଞ୍ଚଳର ବାଦଲଙ୍କ ସହ ଆଉ ଜଣେ ବନ୍ଧୁ ରୂପଯାତ୍ରା ଦେଖିବା ପାଇଁ ଚୌଦ୍ୱାର ଆସିଥିଲେ ।
ଚୌଦ୍ୱାର ମେଳଣ ପଡ଼ିଆରେ ସେମାନେ କିଛି ସମୟ ବୁଲାବୁଲି କରିଥିଲେ । ରାତି ପ୍ରାୟ ଦଶଟା ବେଳକୁ ତେବେ ବିଭିନ୍ନ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ଭସାଣ ଶୋଭାଯାତ୍ରାରେ ବାହାରି ବସର୍ଜନ ପାଇଁ ବିରୂପାନଦୀ ଆଡକୁ ଯାଉଥିଲେ । ଏହି ଭସାଣ ଉତ୍ସବ ଚାଲୁଥିବା ବେଳେ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ନିଲୁ, ତ୍ରିଲୋଚନ, ବାଦଲ ଓ ତାଙ୍କର ଆଉଜଣେ ସାଙ୍ଗ ବସିଥିଲେ । ଏହି ସମୟରେ ଜଣେ ଶୌଚ ହେବାକୁ ଯାଇ କେନାଲ ଭିତରକୁ ଖସି ପଡ଼ିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟମାନେ କେନାଲକୁ ଡେଇଁପଡ଼ିଥିଲେ ।
ସେତେ ବେଳକୁ କେନାଲରେ ପ୍ରବଳ ସ୍ରୋତ ଥିବାରୁ ସେମାନେ ନିଜକୁ ନିୟନ୍ତ୍ରଣ କରି ନପାରି ସମସ୍ତେ ଭାସି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବାଦଲର ଅନ୍ୟଜଣେ ସାଙ୍ଗକୁ କେବଳ ଉଦ୍ଧାର କରିଥିଲେ । ମାତ୍ର ନିଲୁ, ତ୍ରିଲୋଚନ ଓ ବାଦଲଙ୍କର କୌଣସି ପତ୍ତା ମିଳି ନଥିଲା । ଏ ସମ୍ପର୍କରେ ଖବର ପାଇ ଜଗତପୁର ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ବେଳେ ୩ଜଣଙ୍କ ମୃତଦେହ ଆଜି ପୂର୍ବାହ୍ଣରେ ଉଦ୍ଧାର କରିଛନ୍ତି । ଜଗତପୁର ପୁଲିସ ସମସ୍ତଙ୍କ ଶବ ବ୍ୟବଚ୍ଛେଦକରି କରିବା ପାଇଁ କଟକ ବଡ଼ଡାକ୍ତରଖାନା ପଠାଇବା ସହ ଏକ ଅପମୃତ୍ୟୁମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛନ୍ତି ।