21.1 C
Bhubaneswar
Monday, November 18, 2024
Homeଓଡିଶାଲୋପ ପାଉଛନ୍ତି ପକ୍ଷୀ : ଚିନ୍ତା ପ୍ରକଟ କଲେ କୁନି ବାଳକ ଶାନ୍ତନୁ

ଲୋପ ପାଉଛନ୍ତି ପକ୍ଷୀ : ଚିନ୍ତା ପ୍ରକଟ କଲେ କୁନି ବାଳକ ଶାନ୍ତନୁ

ଭୁବନେଶ୍ୱର: ରାତି ପାହିଲେ କାଉର କା’ କା’ ଡାକରେ ନିଦ ଭାଙ୍ଗୁଥିଲା । ଏବେ ସକାଳ ହେଲେ ଆଗ ପରି ଆଉ କାଉର ରାବ ଶୁଭୁନାହିଁ । ବିଲୁପ୍ତ ହୋଇଯାଉଥିବା ପକ୍ଷୀମାନଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ସାତବର୍ଷର ବାଳକ ଶାନ୍ତନୁ ଶାନ୍ତିସ୍ୱରୂପ । ତେବେ ଏ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ପାଇଁ ନିଜେ ରଙ୍ଗ ତୂଳୀ ଧରି ଭିନ୍ନ ପକ୍ଷୀମାନଙ୍କ ଚିତ୍ର ଆଙ୍କିଛନ୍ତି । ପକ୍ଷୀଙ୍କ ସୁରକ୍ଷାର ଆହ୍ୱାନ ଦେଇ ଚିତ୍ରରେ ତଳେ ଇଂରାଜୀ ଭାଷାରେ ମନଛୁଆଁ ସ୍ଲୋଗାନ  ଲେଖିଛନ୍ତି ।  ‘ସେଭ୍ ଦ ସ୍ପାରୋଜ’, ‘ବାର୍ଡ଼ସ୍ ଆର୍ ଗଡ୍‌ସ ନାଚୁରାଲ୍ ଡ୍ରୋନ୍‌ସ’, ‘ମେକ୍ ଏ ରିଭୋଲ୍ୟୁସନ’, ‘ଟୁ ରିଡ୍ୟୁସ୍ ରାଡ଼ିଏସନ୍‌’, ‘ଲେଟସ୍ ସେଭ୍ ଦିଜ୍ ଲିଟିଲ୍ ଆଞ୍ଜେଲ୍‌’, ‘ଦ ବାର୍ଡ଼ସ୍‌୍ ଆର ଦି ଷ୍ଟାରସ୍ ଅଫ୍ ଆୱାର ନେଚର’ ଇତ୍ୟାଦି ସ୍ଲୋଗାନ ଲିଖିତ ରହିଛି । ଶାନ୍ତନୁ ଚିତ୍ରଗୁଡ଼ିକୁ ଗ୍ରୀନ୍‌ୱାଲ୍‌ରେ ପ୍ରଦର୍ଶିତ କରିବା ସହ ଚିତ୍ରକଳା ପ୍ରଦର୍ଶନୀର ନାମ ‘ଦ ବାର୍ଡ଼ସ୍‌’ ରଖିଛନ୍ତି ।
ସୂଚନାଯୋଗ୍ୟ, ଶାନ୍ତନୁ ଏବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅରିଶଲର ଦ୍ୱିତୀୟ ଶ୍ରେଣୀର ଛାତ୍ର । ପିତା ପରିବେଶବିତ୍ ସୁଶାନ୍ତ ସାହୁଙ୍କ ଚିନ୍ତାଧାରାରେ ଶାନ୍ତନୁ ପ୍ରଭାବିତ ହୋଇ ପରିବେଶଧର୍ମୀ ଚିତ୍ର ବିଭିନ୍ନ ସମୟରେ ଆଙ୍କୁଥିବାର ଜଣାପଡ଼ିଛି । କଅଁଳ ବୟସରେ ଏଭଳି ଚିନ୍ତାଧାରାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି । ଶାନ୍ତନୁଙ୍କ ପିତା ସୁଶାନ୍ତ କୁମାର ସାହୁଙ୍କ କହିବାନୁସାରେ, ପରିତ୍ୟକ୍ତ ଖାଦ୍ୟ ସ୍ଥାନରେ ଅସଂଖ୍ୟ କାଉ ରୁଣ୍ଡର ଦୃଶ୍ୟ ଆଉ ଦେଖିବାକୁ ମିଳୁନାହିଁ । ସେହିପରି ପରିବେଶକୁ ପରିଚ୍ଛନ୍ନ ରଖୁଥିବା ବିଶାଳ ପକ୍ଷୀ ଶାଗୁଣା ପଲ ପଲ ହୋଇ ବସୁଥିଲେ ମଶାଣି ଓ ତାଳଗଛ ଉପରେ ।
ଏବେ ପଶୁଙ୍କର ଶବ ଦିନ ଦିନ ଧରି ପଡ଼ିରହୁଛି ମଶାଣି ପଦାରେ । ଆଉ ଦେଖିବାକୁ ମିଳୁନି ଶାଗୁଣା । ସେହିଭଳି ପକ୍ଷୀ ଜଗତର ସ୍ଥପତି ବାଇଚଢ଼େଇ ଏବେ ବସା ବାନ୍ଧିବାକୁ ପାଉନାହିଁ ବଡ଼ ବଡ଼ ତୋଳ, ବର, ନଡ଼ିଆ ଗଛ । ଗାଁ ଦାଣ୍ଡ ଓ ଅଗଣାରେ କିଚିରି ମିଚିରି କରୁଥିବା ଘର ଚଟିଆର ଶବ୍ଦ ଏବେ ଆମ ସ୍ମୃତିରେ । କେବଳ କାଉ କିମ୍ବା ଶାଗୁଣା ନୁହେଁ ଆମ ପରିବେଶରୁ ଉଭାନ ହୋଇଗଲେଣି ଘରଚଟିଆ, ଶଙ୍ଖଚିଲ, ପାରା, ମାଛରଙ୍କା ଚଢ଼େଇ, କଜଳପାତି, ହଳଦୀ ବସନ୍ତ ପରି ଅନେକ ପକ୍ଷୀ । ଏସବୁ କେବଳ ପରିବେଶର ପ୍ରତିକୂଳ ଅବସ୍ଥାକୁ ହିଁ ଆମେ ଦାୟୀ କରୁଛେ । ଜୈବ ବିବିଧତାର ସୁରକ୍ଷା ଓ ଜୀବଜଗତର ସନ୍ତୁଳନ ପାଇଁ ଏମାନଙ୍କ ଉପସ୍ଥିତି ନିତାନ୍ତ ଜରୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking