ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସମ୍ପର୍କରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏଣିକି ବିଧାନସଭାରେ ଆଉ କାଗଜ ବ୍ୟବହାର ହେବନାହିଁ । ବିଧାନସଭା ଭିତରେ ଟ୍ୟାବ ଲଗାଯାଇଛି । ଏଣିକି ବିଧାୟକମାନେ କାଗଜ ଧରି ଆଉ ପଢ଼ିବେ ନାହିଁ । ସମସ୍ତେ ଟ୍ୟାବରେ ପଢ଼ିବେ । ଯେଉଁଥିପାଇଁ ୧୪୭ ଜଣ ବିଧାୟକଙ୍କ ଆସନରେ ଟ୍ୟାବ ଲଗାଯାଇଛି । ବିଧାୟକମାନେ ବିନା କାଗଜପତ୍ରରେ ପ୍ରଶ୍ନୋତ୍ତର କିମ୍ବା ପ୍ରସ୍ତାବ ପଢ଼ିବେ ।୧୩ ତାରିଖରୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ ୨୮ ଟି କାର୍ଯ୍ୟଦିବସ ଥିବାବେଳେ ଫେବୃଆରୀ ୧୭ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ଫେବୃଆରୀ ୧୩ରୁ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ। ଫେବୃଆରୀ ୧୭ରେ ଆସିବ ରାଜ୍ୟ ବଜେଟ। ୨୦୨୫-୨୦୨୬ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ଫେବୃଆରୀ ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ବନ୍ଦ ରହିବ ଅଧିବେଶନ। ପୁଣି ମାର୍ଚ୍ଚ ୭ରୁ ଏପ୍ରିଲ ୫ଯାଏ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ।