18.1 C
Bhubaneswar
Friday, November 22, 2024
Homeଖେଳଅନିର୍ଦ୍ଦିଷ୍ଟ କାଳ ପାଇଁ ଏସିଆନ୍ ଗେମ୍ସ ସ୍ଥଗିତ

ଅନିର୍ଦ୍ଦିଷ୍ଟ କାଳ ପାଇଁ ଏସିଆନ୍ ଗେମ୍ସ ସ୍ଥଗିତ

ବେଜିଂ: ବିଗତ ଦିନରେ କୋଭିଡ୍ ସଂକ୍ରମଣ କାରଣରୁ ଏକାଧିକ କ୍ରୀଡ଼ା ଇଭେଣ୍ଟ୍ ବାତିଲ୍ ଅବା ସ୍ଥଗିତ ରହିଥିବା ବେଳେ ଏବେ ଏସିଆନ୍ ଗେମ୍ସ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏହି ସମ୍ମାନଜନକ ଇଭେଣ୍ଟ୍ ଆସନ୍ତା ସେପ୍ଟେମ୍ବର ୧୦ରୁ ୨୫ ପର୍ଯ୍ୟନ୍ତ ଚୀନ୍‌ର ହାଙ୍ଗଝୌଠାରେ ହେବାର ଥିଲା । କିନ୍ତୁ ଚୀନ୍‌ରେ କ୍ରମାଗତ ଭାବେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆୟୋଜକ ଏସିଆ ଅଲିମ୍ପିକ୍ ପରିଷଦ (ଓସିଏ) ପକ୍ଷରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଖୁବଶୀଘ୍ର ଏହି ଇଭେଣ୍ଟ୍ ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି । ଶାଙ୍ଘାଇରେ ପୁଣିଥରେ କୋଭିଡ୍ ସଂକ୍ରମଣ ବଢ଼ିବାରୁ ଏହି ସହରରେ ଲକଡାଉନ୍ ଘୋଷଣା କରାଯିବା ପରେ ଏସିଆନ୍ ଗେମ୍ସର ଊନବିଂଶ ସଂସ୍କରଣ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଶୁକ୍ରବାର ଓସିଏ କାର୍ଯ୍ୟନିର୍ବାହୀ ବୋର୍ଡର ସଦସ୍ୟମାନେ ତାଶକେଣ୍ଟ୍‌ଠାରେ ମିଳିତ ହୋଇଥିଲେ ।

ସାମ୍ପ୍ରତି ପରିସ୍ଥିତିରେ ଏହି ଇଭେଣ୍ଟ୍‌କୁ ସ୍ଥଗିତ ରଖିବା ଉପଯୁକ୍ତ ନିଷ୍ପତ୍ତି ହେବ ବୋଲି ବିଚାର କରିଥିଲେ । କାର୍ଯ୍ୟନିର୍ବାହୀ ବୋର୍ଡ ଏ ସଂକ୍ରାନ୍ତରେ ଚାଇନିଜ୍ ଅଲିମ୍ପିକ୍ କମିଟି (ସିଓସି) ଓ ହାଙ୍ଗଝୌ ଏସିଆନ୍ ଗେମ୍ସ ଅର୍ଗାନାଇଜିଂ କମିଟି (ଏଚ୍‌ଏଜିଓସି) ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ଓସିଏ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ଏହି ଇଭେଣ୍ଟ୍ ସ୍ଥଗିତ ରହିଥିଲେ ହେଁ ଏହାର ନାମ ଓ ଲୋଗୋ ଅପରିବର୍ତ୍ତିତ ରହିବ ବୋଲି ମଧ୍ୟ କୁହାଯାଇଛି । ସୂଚନାଯୋଗ୍ୟ ଯେ ଏସିଆନ୍ ଗେମ୍ସର ଊନବିଂଶ ସଂସ୍କରଣରେ ପାଖାପାଖି ୧୧ ହଜାର ଆଥଲେଟ୍ ୬୧ଟି ଇଭେଣ୍ଟ୍‌ରେ ଅଂଶଗ୍ରହଣ କରିବାର ଥିଲା ।

ସେହିପରି ଚଳିତ ବର୍ଷ ଡିସେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଚୀନ୍‌ର ଶାଣ୍ଟୋଉଠାରେ ହେବାକୁ ଥିବା ତୃତୀୟ ଏସିଆନ୍ ୟୁଥ୍ ଗେମ୍ସକୁ ବାତିଲ୍ କରିଦିଆଯାଇଛି । ପୂର୍ବରୁ ଏହି ଇଭେଣ୍ଟ୍‌ଟି ଥରଟିଏ ବିଳମ୍ବିତ ହୋଇସାରିଥିବାରୁ କୋଭିଡ୍ ସଂକ୍ରମଣଜନିତ ସ୍ଥିତି ପରିପ୍ରେକ୍ଷୀରେ ଏପରି ନିଷ୍ପତ୍ତି ନିଆଯାଇଛି । ତେଣୁ ଏହି କ୍ରୀଡ଼ାର ପରବର୍ତ୍ତୀ ସଂସ୍କରଣ ଆସନ୍ତା ୨୦୨୫ରେ ଉଜବେକିସ୍ତାନର ତାଶକେଣ୍ଟ୍‌ଠାରେ ଅନୁଷ୍ଠିତ ହେବ ବୋଲି ଓସିଏ କାର୍ଯ୍ୟନିର୍ବାହୀ ବୋର୍ଡ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking