ଭୁବନେଶ୍ୱର: ବହୁଚର୍ଚ୍ଚିତ ଡିଜେ ଏଜେକ୍ସଙ୍କ ଆତ୍ମହତ୍ୟା ମାମଲାର ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ଦର୍ଶାଯାଇଛି ମୃତ୍ୟୁ ଆତ୍ମହତ୍ୟା ଜନିତ । ତଣ୍ଟି ଚିପି ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟଇି । ବେକରେ ଦାଗ ମଧ୍ୟ ରହିଛି । ହେଲେ ତାଙ୍କ ମୃତ୍ୟୁକୁ ନେଇ ଘଣ୍ଟାଚକଟା ଲାଗି ରହିଛି । ସେ କଣ ପାଇଁ ଆତ୍ମହତ୍ୟା କଲେ । ତାଙ୍କ ଆତ୍ମହତ୍ୟା ପଛରେ ଦାୟୀ କିଏ । ତ୍ରିକୋଣିୟ ପ୍ରେମ ସମ୍ପର୍କ ନା ଆଉ କିଛି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ଏଜେକ୍ସକୁ କେହି ଆତ୍ମହତ୍ୟା କରାଇବାକୁ ବାଧ୍ୟ କରିଛନ୍ତି ବୋଲି ପରିବାର ଲୋକଙ୍କ ଅଭିଯୋଗ ହେବା ପରେ ପୁଲିସ ଆଇପିସିର ଦଫା ୩୦୬ରେ ମାମଲା ରୁଜୁ କରିଥିଲା ।
ଏହା ପରେ ଆରମ୍ଭ ହୋଇଛି ତନାଘନା । ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଉଠିଛି ପ୍ରଶ୍ନ । ତାଙ୍କ ବାନ୍ଧବୀ ଏବଂ ପୁରୁଷ ବନ୍ଧୁଙ୍କ ଉପରେ ଉଠିଛି ଆଙ୍ଗୁଠି । ସେମାନଙ୍କୁ ଜେରା କରାଯାଉଛି । ଏତଲା ରୁଜୁ ହେବା ପରେ ବାନ୍ଧବୀଙ୍କୁ ଆଜି ଜେରାର ଶିକାର ହେବାକୁ ପଡିଛି । ଖାରବେଳନଗର ଥାନା ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବାନ୍ଧବୀଙ୍କ ଯାଁଳା ସ୍ଥିତ ଘରେ ଆଜି ତାଙ୍କୁ ଏକ ଘଣ୍ଟା ଧରି ଜେରା କରାଯାଇଛି ।
ଏହା ଏକ ପ୍ରାରମ୍ଭିକ ଜେରା । ପୁଲିସ ତଥ୍ୟ ଏବଂ ପ୍ରମାଣ ସଂଗ୍ରହ କରୁଛି । ପରବର୍ତ୍ତି ସମୟରେ ତାଙ୍କୁ ଆଉ ଥରେ ଜେରା ହେବା ସହ ତାଙ୍କ ପୁରୁଷ ବନ୍ଧୁ ରଶ୍ମୀଙ୍କୁ ମଧ୍ୟ ଜେରା ହେବ ବୋଲି କୁହାଯାଇଛି । ତେବେ ଜେରା ବେଳେ ପୁଲିସକୁ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ପୂର୍ବରୁ ସମ୍ପୃକ୍ତ ଯୁବତୀଙ୍କ ବୟଫ୍ରେଣ୍ଡ ସମ୍ପର୍କରେ ଅଭିଯୋଗ ଆସୁଥିଲା । ଏହା ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଥିଲା । ଯେଉଁଥିରେ ଏଜେକ୍ସ, ତାଙ୍କ ବାନ୍ଧବୀ ଏବଂ ବାନ୍ଧବୀଙ୍କ ସହଯୋଗୀ ସାମିଲ ଥିବା କଥା ସାମ୍ନାକୁ ଆସୁଥିଲା । ହେଲେ ଏବେ ଯୁବତୀଙ୍କ ବୟାନ ଶୁଣି ପୁଲିସର ହୋସ ଉଡିଯାଇଛି । ଯୁବତୀଙ୍କର ମଧ୍ୟ ସମାନ ଅଭିଯୋଗ । ସେ ପୁଲିସୁ ଦେଇଥିବା ବୟାନ ଅନୁଯାୟୀ ଆଉ ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଥିଲା । ଯେଉଁଥିରେ ଡିଜେ, ତାଙ୍କ ବାନ୍ଧବୀ ଏବଂ ଆଉ ୨ ଜଣ ଝିଅ ଥିଲେ । ଏଥିପାଇଁ ପ୍ରେମରେ ଫାଟ ସୃଷ୍ଟି ହେଲା ବୋଲି ବାନ୍ଧବୀ ଜଣଙ୍କ କହିଛନ୍ତି । ଏହା ସହ ପରିବାର ଲୋକେ ମଧ୍ୟ ଆଜି ଖାରବେଳନଗର ଥାନାରେ ପହଞ୍ଚି ଏତଲା ନକଲ ସଂଗ୍ରହ କରିଛନ୍ତି ।