ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲା ରୋରାୱର ଅଞ୍ଚଳରେ ଅଭାନୀୟ ଘଟଣା । ବର୍ବରତାର ସୀମା ଟପିଲା ଅଭିଯୁକ୍ତ । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏହା ନିଷ୍ଠୁରତାର କାହାଣୀ ବଖାଣିଛି । ଅଭିଯୁକ୍ତ ଜଣକ ନିଜ ପତ୍ନୀକୁ ମାରପିଟ କରୁଥିବା ସହ ଅଇଁଠା ଚଟାଇବା ଲାଗି ବାଧ୍ୟ କରୁଥିବା ବେଳେ ନିଜ ଝିଅକୁ କରୁଥିଲା ଦୁଷ୍କର୍ମ । ପୋଲିସ ଏହି ମାମଲାର ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ସୂଚନା ଅନୁସାରେ ପୀଡ଼ିତ ମହିଳା ଓ ଅଭିଯୁକ୍ତର ଏକ ଅଡିଓ ଭାଇରାଲ ହୋଇଥିଲା ।
ଏଥିରେ ପୀଡ଼ିତା ମହିଳା ଜଣକ ଅନ୍ୟ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀକୁ ହତ୍ୟା କରିବା ଲାଗି କହୁଥିଲେ । ତାଙ୍କ ସ୍ୱାମୀ ଝିଅକୁ ଦୁଷ୍କର୍ମ କରୁଥିବାରୁ ଏପରି କରିବା ଲାଗି ସେ କହୁଥିଲେ । ଏହାପରେ ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଏଥିରେ ଅଭିଯୁକ୍ତ ଜଣକ ନିଜ ପତ୍ନୀ ଓ ଝିଅକୁ ନିଷ୍ଠୁରତାର ସହ ମାରପିଟ କରୁଥିବା ଦେଖିବାକୁ ମିଳିଥିଲା । ଏହାସହିତ ନାବାଳିକା ଝିଅ ସହିତ ଅଶ୍ଳୀଳ ବ୍ୟବହାର ଓ ନିଜ ପତ୍ନୀକୁ ଅଇଁଠା ଚାଟିବା ଲାଗି ବାଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ସ୍ୱାମୀ ତାଙ୍କୁ ବେଲ୍ଟରେ ମାଡ଼ ମାରୁଥିଲେ । ଏହାସହିତ ଘରେ ଅଇଁଠା ଥାଳି ଚଟାଉଥିଲେ ।
ଏହାକୁ ସେ ବିରୋଧ କରିବା ପରେ ସ୍ୱାମୀ ମାଡ ମାରୁଥିଲେ । ଏହାସହିତ ଗତ ୬ ବର୍ଷ ଧରି ନାବାଳିକା ଝିଅ ସହ ସେ ଦୁଷ୍କର୍ମ କରୁଥିବା ବେଳେ ଝିଅକୁ ମଧ୍ୟ ମାଡ଼ ମାରୁଥିଲେ । ପୋଲିସ ନିକଟରେ ଏଭଳି ଅଭିୟୋଗ ଆଣିଛନ୍ତି ଅଭିଯୁକ୍ତର ପତ୍ନୀ । ଅତ୍ୟାଚାର ଅସହ୍ୟ ହେବା ପରେ ଅଭିଯୁକ୍ତ ସ୍ୱାମୀ ବିରୋଧରେ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ରୋରାୱର ପୋଲିସ ନିକଟରେ ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖି ଥାନା ଅଧିକାରୀ ଅଭୟ କୁମାର ପାଣ୍ଡେ କହିଛନ୍ତି, “ମହିଳାଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଛି । ସଙ୍ଗେ ସଙ୍ଗେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ।