ପାଟନା : ବିହାର ବେଗୁସରାଇ ଅନ୍ତର୍ଗତ ସାହେବପୁର କମଳ ଅଞ୍ଚଳରେ ଗଣ୍ଡକ ନଦୀ ଉପରେ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ସେତୁ ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଛି। ୨୦୧୬ରୁ ସାହବେପୁର କମଳ ବ୍ଲକରେ ଏହି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେତୁର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଏହାକୁ ବିଧିବଦ୍ଧ ଭାବେ ଉଦ୍ଘାଟନ କରାଯାଇନଥିଲା। ତେବେ ଗତ ଦୁଇମାସ ହେବ ଏହି ସେତୁ ଉପରେ ନିୟମିତ ଭାବେ ଗାଡ଼ିମଟର ଯାତାୟାତ କରୁଥିଲା। କିଛିଦିନ ତଳେ ସେତୁର ଗୋଟିଏ ପାର୍ଶ୍ବରେ ଫାଟ ସୃଷ୍ଟି ହୋଇଥିଲା। ରବିବାର ସେତୁର ଗୋଟିଏ ଅଂଶ ଭୁଶୁଡ଼ି ପଡ଼ିଥିବା ବେଳେ ସୌଭାଗ୍ୟବଶତଃ ପୋଲ ଉପରେ କୌଣସି ଗାଡ଼ି ଚଳାଚଳ କରୁନଥିଲା।
ସେତୁର ଗୋଟିଏ ଅଂଶ ଭୁଶୁଡ଼ି ପଡ଼ିବା ସମ୍ପର୍କରେ ନିଜ ପ୍ରତିକ୍ରିୟାରେ ସ୍ଥାନୀୟ ଜିଲାପାଳ କୁଶୱାହା କହିଛନ୍ତି କାହା ଭୁଲ୍ ଯୋଗୁଁ ଏପରି ଘଟିଲା ତାହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।