26.1 C
Bhubaneswar
Saturday, September 21, 2024
Homeଓଡିଶାଥମୁନି ନବ ହତ୍ୟା ବିବାଦ ଝଡ଼ : ଦ୍ୱିତୀୟ ଦିନରେ ବି ବିରୋଧୀ-ଶାସକ ମୁହାଁମୁହିଁ

ଥମୁନି ନବ ହତ୍ୟା ବିବାଦ ଝଡ଼ : ଦ୍ୱିତୀୟ ଦିନରେ ବି ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର: ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ବି ଗୃହ ହୁଲସ୍ତୁଲ । ଥମୁନି ନବ ହତ୍ୟା ବିବାଦ ଝଡ଼ । ବିରୋଧୀ ଜିଦ୍‌ରେ ଅଟଳ । ଉଭୟ ବିଜେପି ଓ କଂଗ୍ରେସ ସଭ୍ୟ ଗୃହ ମଝିରେ ହଟ୍ଟଗୋଳ କରିବା ଯୋଗୁଁ ଗୃହର ସ୍ଥିତି ଅସ୍ୱାଭାବିକ ହୋଇଥିଲା । ଶାସକ ଦଳର ସଭ୍ୟ ବି ଚାଷୀ ସମସ୍ୟା ଓ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଗୃହରେ ପ୍ରତିବାଦ କରିଥିଲେ । ଫଳରେ ବିରୋଧୀ-ଶାସକ ସଭ୍ୟଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଥିଲା । ଅବସ୍ଥା ଅସମ୍ଭାଳ ହେବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ବାଧ୍ୟହୋଇ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ । ବୁଧବାର ପ୍ରଶ୍ନୋତ୍ତର କାଳ ସୁରୁଖୁରୁରେ ଚାଲିପାରି ନଥିଲା । ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ ।

ବିଜେପି ସଭ୍ୟମାନେ ହାତରେ ପ୍ଲାକାର୍ଡ ଧରି ଗୃହ ମଝିରେ ନାରାବାଜି ସହ ସିବିଆଇ ତଦନ୍ତ ଦାବି କରୁଥିବା ବେଳେ କଂଗ୍ରେସ ସଭ୍ୟମାନେ ଏସ୍‌ଆଇଟି ତଦନ୍ତ ଦାବି କରିଥିଲେ । ଫଳରେ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ହୁଲୁସ୍ତୁଲ ହୋଇଥିଲା ଗୃହ । ଅପରପକ୍ଷରେ ଶାସକ ସଭ୍ୟମାନେ ହାତରେ ପ୍ଲାକାର୍ଡ ଧରି ନିଜ ଆସନରେ ଛିଡ଼ାହୋଇ ଚାଷୀ ସମସ୍ୟା ଓ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଗୃହରେ ପ୍ରତିବାଦ କରିଥିଲେ । ଏଥିପାଇଁ ଉଭୟ ଶାସକ ଓ ବିରୋଧୀ ସଭ୍ୟଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଥିଲା । ଗୃହକୁ ସ୍ୱାଭାବିକ କରବାକୁ ବାଚସ୍ପତି ଶ୍ରୀ ଆରୁଖ ସବୁ ସଦସ୍ୟଙ୍କୁ ନିଜ ନିଜର ମତ ଓ ଦାବି ଶୂନ୍ୟକାଳରେ ଉଠେଇବା ପାଇଁ ଅନୁରୋଧ କରିଥିଲେ ହେଁ କେହି ତାହାକୁ କର୍ଣ୍ଣପାତ ନକରି ହୋ ହଲ୍ଲା ଜାରି ରଖିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୦ଟା୩୨ରୁ ସାଢ଼େ ୧୧ଟାଯାଏ ଗୃହକୁ ମୂଲତବୀ କରିଥିଲେ । ଶୂନ୍ୟକାଳ ଆରମ୍ଭ ହେବାକ୍ଷଣି ଗୃହରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଥିଲା । ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟ ନବ ଦାସ ହତ୍ୟା ଘଟଣାକୁ ନେଇ ପ୍ରବଳ ହଟଗୋଳ କରିଥିଲେ । ଏହି ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ପହଞ୍ଚି ନବ ଦାସ ହତ୍ୟା ପ୍ରସଙ୍ଗରେ ହେଉଥିବା ତଦନ୍ତ ସମ୍ପର୍କରେ ବିବୃତ୍ତି ରଖିଥିଲେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇ ଚାଲିଥିଲେ । ତାହା ଶେଷ ହେବା ପରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିିଥିଲେ ।

ଅପରାହ୍ନ ୪ ଘଟିକା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ପୁଣି ହଟ୍ଟଗୋଳ କରିଥିଲେ । ନବ ଦାସ ହତ୍ୟାକୁ ନେଇ ବିରୋଧୀ ବିଜେପି ସିବିଆଇ ଓ କଂଗ୍ରେସର ଏସ୍‌ଆଇଟି ତଦନ୍ତ ଦାବି କରି ବିରୋଧୀ ସେମାନେ ଗର୍ଜିଥିଲେ । ସେହିପରି ଶାସକ ବିଜେଡି ସଭ୍ୟମାନେ ନିଜ ଆସନରେ ଛିଡ଼ାହୋଇ କେନ୍ଦ୍ର ସରକାରଙ୍କ ପାତର ଅନ୍ତର ନୀତି ଚଳିବ ନାହିଁ ଓ ଚାଷୀ ମାରଣ ନୀତିକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କହି ପ୍ରତିବାଦ ଜାରି ରଖିଥଥିଲେ । ତେବେ ବାଚସ୍ପତି ଶ୍ରୀ ଆରୁଖ ଶାସକ ସଭ୍ୟଙ୍କୁ ଗୃହରେ କିଛି ଅସ୍ୱାଭାବିକ ନକରିବାକୁ ଅନୁରୋଧ କରିବା ପରେ ସେମାନେ ତୁୂନି ହୋଇ ନିଜ ଆସନରେ ବସିଥିଲେ । ଏହା ପରେ ବାଚସ୍ପତି ରୁଲିଂ ଦେଇ ଗୁରୁବାର ‘ମୋସନ’ ଜରିଆରେ ନବ ଦାସ ହତ୍ୟାକାଣ୍ଡର ଆଲୋଚନା ହେବ ବୋଲି ଘୋଷଣା କରିଥିଲେ । ହେଲେ ବାଚସ୍ପତିଙ୍କ ରୁଲିଂ ସତ୍ତ୍ୱେ ବିରୋଧୀ ସଭ୍ୟମାନେ ଗୃହ ମଧ୍ୟଭାଗରେ ପ୍ରତିବାଦ ଜାରି ରଖିଥିଲେ । ବିଜେପି ଓ କଂଗ୍ରେସ ସଭ୍ୟଙ୍କ ଏହି ହୋ ହଲ୍ଲା ଭିତରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଠିକ୍ ଏହି ସମୟରେ ବାଚସ୍ପତି ଗୃହ କାର୍ଯ୍ୟକୁ ଗୁରୁବାର ସାଢ଼େ ଦଶ ପର୍ଯ୍ୟନ୍ତ ମୁଲତବୀ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking