17.1 C
Bhubaneswar
Tuesday, November 26, 2024
Homeଅପରାଧଥମୁନି ନିର୍ବାଚନୀ ହିଂସା, ଜାମୁନି ଗ୍ରାମରେ ହତ୍ୟାକାଣ୍ଡ

ଥମୁନି ନିର୍ବାଚନୀ ହିଂସା, ଜାମୁନି ଗ୍ରାମରେ ହତ୍ୟାକାଣ୍ଡ

ପୁରୁଷୋତ୍ତମପୁର: ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଜାମୁନି ଗ୍ରାମରେ ପଞ୍ଚାୟତ ନିର୍ବାଚନ ସରିଥିଲେ ମଧ୍ୟ ନିର୍ବାଚନ ପରବର୍ତ୍ତୀ ହିଂସା ଥମିବାର ନା ନେଉନି । ଜାମୁନୀ ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ଜଣକ ଜାମୁନି ଗ୍ରାମର ଯୋଗେଶ ବେହେରା ଏବଂ ଗୁରୁତର ବ୍ୟକ୍ତି ଜଣକ ସେହି ଗ୍ରାମର ଅଜିତ କୁମାର ପାଣିଗ୍ରାହୀ ବୋଲି ଜଣାପଡିଛି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥାଇପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଘଟଣାସ୍ଥଳରୁ ପୁରୁଷୋତ୍ତମପୁର ପୁଲିସ୍ ଏକ ଠେଙ୍ଗା ଓ ଚପଲ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ଆଜି ତଦନ୍ତ କରି ଫେରିଛି । ଏହି ଘଟଣାରେ କିଛି ବ୍ୟକ୍ତିଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଖୁବ୍‌ଶୀଘ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ ହେବ ଏବଂ ହତ୍ୟାକାରୀ ଗିରଫ ହେବେ ବୋଲି ପୁରୁଷୋତ୍ତମପୁର ଥାନା ଅଧିକାରୀ ପିୟୁଷ ରଞ୍ଜନ ଛୋଟରାୟ କହିଛନ୍ତି ।

ସୂଚନା ପ୍ରକାରେ ମଙ୍ଗଳବାର ରାତିରେ ଯୋଗେଶ (୨୪) ଏବଂ ତାଙ୍କ ସାଙ୍ଗ ଅଜିତ ଦୁହେଁ ନନ୍ଦିକ ଗ୍ରାମରେ ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ଚାଲିଥିବା ନାଟ ଦେଖି ଗ୍ରାମକୁ ଫେରୁଥିଲେ । ବିଳମ୍ବତ ରାତିରେ ଫେରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ତାଙ୍କ ବିରୋଧୀ ଗୋଷ୍ଠୀର କିଛି ବ୍ୟକ୍ତି ଜାମୁନି ଗ୍ରାମରେ ଉଭୟ ବ୍ୟକ୍ତିଙ୍କୁ ସଙ୍ଘ ବଦ୍ଧ ଆକ୍ରମଣ କରିଥିଲେ । ଠେଙ୍ଗା ଓ ଖଣ୍ଡାରେ ସେମାନେ ଯୋଗେଶ୍ୱରଓ ଅଜିତକୁ ହାଣି ଦେଇଥିଲେ । ଘଟଣା ସ୍ଥଳରେ ଯୋଗେଶଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ଅଜିତଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ୩ ଗୋଟି କାରଣକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି । ମୃତ ଯୋଗେଶଙ୍କ ମାଆ ଜାନକୀ ବେହେରାଙ୍କ କହିବା ପ୍ରକାରେ ପୂର୍ବରୁ ଅନ୍ୟ ଗୋଷ୍ଠୀର ସମର୍ଥକମାନେ ସ୍ଥାନୀୟ ସରପଞ୍ଚଙ୍କୁ ଆକ୍ରମଣ କରିବାକୁ ଯାଇଥିବା ବେଳେ ତାଙ୍କ ପୁଅ ଯୋଗେଶ ସରପଞ୍ଚଙ୍କୁ ସୁରକ୍ଷା ଦେଇଥିଲା ।

ଯାହାକୁ ନେଇ ବିରୋଧୀ ଗୋଷ୍ଠୀଙ୍କ ଲୋକ ଯୋଗେଶ ଉପରେ ରାଗ ରଖିଥିଲେ । ଏହି କାରଣରୁ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି । ଦ୍ୱିତୀୟତଃ ସମବାୟ ନିର୍ବାଚନ ନିମନ୍ତେ ଦୁଇ ଗୋଷ୍ଠୀ ମଧ୍ୟରେ ଗତ ୩୦ ତାରିଖରେ କଥା କଟାକଟି ହୋଇ ଥାନା ପର୍ଯ୍ୟନ୍ତ କଥା ଯାଇଥିଲା । ଦୁଇ ପକ୍ଷଙ୍କ ଅଭିଯୋଗକୁ ଆଧାର କରି ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ସେହି କାରଣରୁ ମଧ୍ୟ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଗ୍ରାମରେ ପାନୀୟ ଜଳ ଯୋଗାଣକୁ ନେଇ ମଙ୍ଗଳବାର ଦିନ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ହୋଇଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏସବୁ ଚର୍ଚ୍ଚା ଆଲୋଚନା ଭିତରେ ଘଟଣାସ୍ଥଳକୁ ପୁରୁଷୋତ୍ତମପୁର ଥାନା ଅଧିକାରୀ ପିୟୁଷ ରଞ୍ଜନ ଛୋଟରାୟ, କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁ, ଅତିରିକ୍ତ ଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ସମେତ ପୁରୁଷୋତ୍ତମପୁର ଥାନାର କର୍ମଚାରୀ, ସନ୍ଧନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫଏମ୍‌ଟି ଗୃହକୁ ପଠାଯାଇଛି । ସନ୍ଧନୀ କୁକୁର କିଛି ଲୋକଙ୍କ ଘରକୁ ଯାଇ ଫେରି ଆସିଛି । ଆକ୍ରମଣସ୍ଥଳରୁ ଏକ ଠେଙ୍ଗା, ଚପଲ ଜବତ ହୋଇଛି । ତେବେ ସନ୍ଧାନୀ କୁକୁର ଯେଉଁ କିଛି ବ୍ୟକ୍ତିଙ୍କ ଘରକୁ ଯାଇଥିଲା, ସେମାନଙ୍କ ଘରକୁ ଯାଇ ପୁଲିସ୍ ତଦନ୍ତ କରିବା ସହ କିଛି ବ୍ୟକ୍ତିଙ୍କୁ ଥାନାକୁ ଆଣି ଆଇଆଇସି ପଚରାଉଚରା କରୁଥିବା ଜଣାପଡିଛି । ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking