19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଭାରତରେ ଇ-କାର୍ ନିର୍ମାଣ କରିବ ଟେସ୍‌ଲା

ଭାରତରେ ଇ-କାର୍ ନିର୍ମାଣ କରିବ ଟେସ୍‌ଲା

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟଥମ ଧନୀ ବ୍ୟକ୍ତି ଏଲୋନ ମସ୍କ୍‌ଙ୍କ ମାଲିକାନାରେ ପରିଚାଳିତ ଆମେରିକାର ଟେସ୍‌ଲା କମ୍ପାନୀ ଭାରତରେ ଇଲେକ୍ଟ୍ରୋନିକ୍‌ସ୍ କାର୍ କାରଖାନା ସ୍ଥାପନ କରିବ ବୋଲି ଜଣାପଡିଛି । ଉକ୍ତ କାରଖାନାରେ ଇ-କାର୍ ସମେତ ଇ-ବ୍ୟାଟେରୀ ମଧ୍ୟ ନିର୍ମାଣ କରିବାକୁ ଟେସ୍‌ଲା ଲକ୍ଷ୍ୟ ରଖିଛି । ଭାରତରେ ନିର୍ମିତ ହେଉଥିବା ଇ-ବ୍ୟାଟେରୀଗୁଡିକ ଏତେଟା କାର୍ଯ୍ୟକ୍ଷମ ଏବଂ ସୁରକ୍ଷିତ ହେଉନଥିବାରୁ ଟେସ୍‌ଲାର ଏହି ପ୍ରସ୍ତାବ ଭାରତୀୟ ଗ୍ରାହକଙ୍କୁ ବେଶ ଆକର୍ଷିତ କରିଛି ।

ଇତିମଧ୍ୟରେ ଟେସ୍‌ଲା କମ୍ପାନୀର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଭାରତ ଗସ୍ତରେ ଆସି ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ଅନ୍ୟ ବିଭାଗର ପଦାଧିକାରୀଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିସାରିଛନ୍ତି । ଗତବର୍ଷ ଶେଷଆଡକୁ ଏହି ପ୍ରସଙ୍ଗରେ ଟେସ୍‌ଲା କମ୍ପାନୀ ଅଧିକାରୀମାନେ ଭାରତ ସରକାରଙ୍କ ସହ ଆଲୋଚନା କରିଥିଲେ । ଟେସ୍‌ଲାର କାରଖାନା ସ୍ଥାପନ ପ୍ରସ୍ତାବକୁ ଭାରତ ସରକାର ସ୍ୱାଗତ କରିଥିଲେ । ତେବେ କାରଖାନା ପ୍ରତିଷ୍ଠା ପୂର୍ବରୁ ଟେସ୍‌ଲା ଏକ ସର୍ତ୍ତ ରଖିଥିଲା । ପ୍ରଥମେ ଭାରତ ସରକାର ଟେସ୍‌ଲା କାର୍ ଆମଦାନୀ କରିବେ ।

ଭାରତୀୟ ମାର୍କେଟରେ ଏହି କାର୍‌ର ଚାହିଦାକୁ ଅନୁଧ୍ୟାନ କରିବାପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଟେସ୍‌ଲା ପକ୍ଷରୁ ସେତେବେଳେ କୁହାଯାଇଥିଲା । ଫଳରେ ଏହି ଦ୍ୱିପାକ୍ଷିକ ଆଲୋଚନା ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା । ଅବଶ୍ୟ ଟେସ୍‌ଲା କାର୍ ଆମଦାନୀ କରିବା ପ୍ରସଙ୍ଗରେ କମ୍ପାନୀ ସର୍ବନିମ୍ନ ୧୦୦ ପ୍ରତିଶତ ଆମଦାନୀ ଶୁଳ୍କ ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲା । ସାନି ଆଲୋଚନାରେ କାର୍ ଆମଦାନୀ ଅପେକ୍ଷା ଭାରତରେ ଟେସ୍‌ଲା କାରଖାନା ପ୍ରତିଷ୍ଠାକୁ ଅଗ୍ରାଧିକାର ଦିଆଯାଇଛି । ଦେଶରେ ଇ-ଯାନଗୁଡିକର ନିର୍ମାଣ ଓ ବିକ୍ରି ଚାହିଦା ବୃଦ୍ଧି କରିବାକୁ ଭାରତ ସରକାର ଦୁଇଟି ଯୋଜନାରେ ୬ ବିଲିୟନ ଡଲାର ବିନିଯୋଗ କରିବାକୁ ଯୋଜନା ପ୍ରଣୟନ କରିଛନ୍ତି ।

ଏହି ଯୋଜନା ଅନୁଯାୟୀ ଇ-ଯାନ ଓ ଇ-ବ୍ୟାଟେରୀ ନିର୍ମାଣକାରୀ କମ୍ପାନୀଗୁଡିକ ରପ୍ତାନୀ ବାବଦରେ ସରକାରଙ୍କ ନିକଟରୁ ସବ୍‌ସିଡି ପାଇବେ ବୋଲି କୁହାଯାଇଛି । ଟେସ୍‌ଲା ବର୍ତ୍ତମାନ ଏହି ଫାଇଦା ଉଠାଇବାକୁ ଭାରତ ମୁହାଁ ହୋଇଥିବା ଅନୁମାନ କରାଯାଉଛି । ୨୦୩୦ ସୁଦ୍ଧା ବାର୍ଷିକ ୨୦ ନିୟୁତ ଇ-କାର୍ ବିକ୍ରି କରିବାକୁ ଟେସ୍‌ଲା ଲକ୍ଷ୍ୟଧାର୍ଯ୍ୟ କରିଛି । ଏହି ଲକ୍ଷ୍ୟ ହାସଲ ପାଇଁ କମ୍ପାନୀକୁ ଭିତ୍ତିଭୂମିକୁ ଯଥେଷ୍ଟ ବୃଦ୍ଧି କରିବାକୁ ପଡିବ । ଆମେରିକା ବ୍ୟତୀତ ଚୀନ୍‌ର ସାଂଘାଇ ଏବଂ ଜର୍ମାନୀର ବ୍ରାଣ୍ଡେ୍‌ନବର୍ଗ ସହରରେ ଟେସ୍‌ଲାର ଦୁଇଟି ବୃହତ କାରଖାନା କାର୍ଯ୍ୟ କରୁଛି ।

ଏଥିସହିତ କମ୍ପାନୀ ୫ ବିଲିୟନ ଡଲାର ବିନିଯୋଗ କରି ମେକ୍ସିକୋରେ ମଧ୍ୟ ଏକ କାରଖାନା ସ୍ଥାପନ କରିବାକୁ ଯାଉଛି । ୨୦୨୪ ଶେଷ ସୁଦ୍ଧା ମେକ୍ସିକୋ କାରଖାନାରେ ଉତ୍ପାଦନ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଚୀନ୍ ସରକାରଙ୍କ ପ୍ରତିକୂଳ ଆଭିମୁଖ୍ୟ ଯୋଗୁଁ ଟେସ୍‌ଲା ସାଂଘାଇ କାରଖାନା ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking