ଦାମାସ୍କସ୍ : ଭୂମିକମ୍ପ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକୁଳିନଥିବାବେଳେ ପଶ୍ଚିମ ଏସୀୟ ରାଷ୍ଟ୍ର ସିରିୟାର ଅଲ୍-ସୋଖ୍ନା ସହରରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ଘଟି ମୋଟ ୫୩ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ଆଇଏସ୍ଆଇଏସ୍ ସଂଗଠନ ନିଜକୁ ଦାୟୀ କରିଛି । ମୃତକଙ୍କ ମଧ୍ୟରେ ୪୬ ସାଧାରଣ ନାଗରିକ ଓ ୭ ଜଣ ଯବାନ ଅନ୍ତର୍ଭୁକ୍ତ ।
ଶୁକ୍ରବାର ସିରିୟାରେ ଆମେରିକୀୟ ସୈନ୍ୟଙ୍କ କାର୍ଯ୍ୟାନୁଷ୍ଠାନରେ ଆଇଏସ୍ ନେତା ହାମ୍ଜା ଅଲ୍-ହୋମ୍ସି ପ୍ରାଣ ହରାଇଥିବାବେଳେ ୪ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି । ଆଇଏଲସ୍ ଆତଙ୍କବାଦୀମାନେ କେତେକ ସାଧାରଣ ନାଗରିକଙ୍କୁ ଅପହରଣ କରିନେଇଛନ୍ତି । ଶନିବାର ୨୫ ଜଣଙ୍କୁ ଖଲାସ କରାଯାଇଥିଲେ ସୁଦ୍ଧା ଅନ୍ୟମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।