ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ବେଶ୍ କିଛି ଦିନ ଧରି ବଢ଼ୁଥିବା ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ପ୍ରତିହତ କରିବା ଦିଗରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନିକଟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ସେ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଜମ୍ମୁ-କାଶ୍ମୀର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକରେ ଯୋଗଦେଇଥିବା ଜଣାପଡିଛି । ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଆଜିର ଏହି କ୍ୟାବିନେଟ୍ ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ରହିଥିଲେ । ଏମାନଙ୍କ ବ୍ୟତୀତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୈଠକରେ ଉପସ୍ଥିତ ରହିଥିଲେ ।
ମିଳିଥିବା ସୂଚନାନୁସାରେ, ଆଜିର ଏହି କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ଜମ୍ମୁକାଶ୍ମୀର ସୁରକ୍ଷା ସମ୍ପର୍କୀତ ନିଷ୍ପତ୍ତିକ୍ରମେ ଏଣିକି ଉପତ୍ୟକାରେ ବଢ଼ୁଥିବା ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଆରମ୍ଭ ହୋଇଥିବା ଅପରେସନକୁ ଆହୁରି ଜୋରଦାର କରାଯିବ । ସେନାକୁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ମୋଦୀ ଖୋଲା ନିର୍ଦ୍ଦେଶ ଦେଇଛନ୍ତି । ଆତଙ୍କବାଦୀଙ୍କ ମୁକାବିଲା ପାଇଁ ନୂଆ ରଣନୀତି ଆପଣାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଆଜିର ବୈଠକରେ ମୋଦୀ ଆତଙ୍କବାଦ ନିରୋଧ ଅପରେସନରେ ଅଧିକ ସଂଖ୍ୟକ ସେନା ବାହନୀକୁ ନିୟୋଜତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତ ମାସରେ ମଧ୍ୟ ମୋଦୀ, ଜମ୍ମୁ-କାଶ୍ମୀର ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଥିଲେ । ଏହି ସମୟରେ ସେ ଶାହ, ଡୋଭାଲ ଓ ଜମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇଥିଲେ ।
ସୂଚନାଯୋଗ୍ୟ, ଗତ ୩୨ ମାସ ମଧ୍ୟରେ ଏକାଧିକ ଆତଙ୍କୀ ଆକ୍ରମଣରେ ଅନେକ ସେନାଧିକାରୀଙ୍କ ସମେତ ୪୮ ସେନା ଯବାନ୍ ପ୍ରାଣ ହରାଇସାରିଛନ୍ତି । ଫଳରେ ଜମ୍ମୁ-କଶ୍ମୀର ପୁଲିସ୍ ସହ ମିଶି ଭାରତୀୟ ସେନା ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରିଛି । ଏହି ସମୟରେ ଆତଙ୍କବାଦୀଙ୍କୁ ବିଭିନ୍ନ ସମୟରେ ତଥ୍ୟ ଓ ସହାୟତା କରୁଥିବା ଅନେକ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ସେନା ପକ୍ଷରୁ ଗୁଇନ୍ଦା ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସମ୍ପର୍କୀତ କ୍ୟାବିନେଟ୍ ବୈଠକର କିଛି ଘଣ୍ଟା ପୂର୍ବରୁ ଜମ୍ମୁ-କାଶ୍ମୀରର ଡୋଡାରେ ଚାଲିଥିବା ଏନ୍କାଉଣ୍ଟରେ ୨ ଜଣ ଯବାନ ଆହତ ହୋଇଥିଲେ । ଏଠାରେ ସୋମବାର ଠାରୁ ଏନକାଉଣ୍ଟର ଚାଲିଥିବା ବେଳେ ଏଥିରେ ମଙ୍ଗଳବାର ଭୋର ସମୟରେ ଜଣେ କ୍ୟାପଟେନ୍ଙ୍କ ସହ ୪ ଜଣ ଯବାନ୍ ସହିଦ୍ ହୋଇଥିଲେ । ପ୍ରକାଶ, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହମଲା ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହେଉଛନ୍ତି । ଉପତ୍ୟକାରେ ଆତଙ୍କୀ ହମଲା ବଢ଼ୁଥିବାରୁ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।










