29.1 C
Bhubaneswar
Saturday, October 5, 2024
Homeଅପରାଧମଣିପୁରରେ ମାସ୍କ ପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ୍‌

ମଣିପୁରରେ ମାସ୍କ ପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ୍‌

ଇମ୍ଫାଲ: ମଣିପୁରରେ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍ । ମାସ୍କ ପିନ୍ଧା କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ମଣିପୁର ଉଖ୍ରୁଲ ଜିଲ୍ଲା ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଲୁଟି ନେଇଛନ୍ତି ୧୮.୮୫ କୋଟି ଟଙ୍କା । ଗତ ଗୁରୁବାର ସନ୍ଧ୍ୟାରେ ବ୍ୟାଙ୍କରେ ଦୁର୍ବୃତ୍ତମାନେ ଏଭଳି ଆତଙ୍କ ଖେଳାଇ ଲୁଟ୍ କରିଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି କ୍ୟାମେରା ଯାଞ୍ଚ କରି ଏହି ଲୁଟେରା ଗୋଷ୍ଠୀଙ୍କୁ ଧରିବା ଲାଗି ଛାନଭିନ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଅନୁସାରେ ୧୦ ଜଣିଆ ମାସ୍କ ପିନ୍ଧା ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ବ୍ୟାଙ୍କ ନିକଟରେ ପହଞ୍ଚିଥିଲେ । ତେବେ ସନ୍ଧ୍ୟା ପ୍ରାୟ ୫ଟା ୪୦ ମିନିଟରେ ଉଖ୍ରୁଲ ଭିଉଲ୍ୟାଣ୍ଡ ଅଞ୍ଚଳରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ପହଞ୍ଚି ଆତଙ୍କ ଖେଳାଇଥିଲେ । ବ୍ୟାଙ୍କ କର୍ମଚାରୀ କହିଛନ୍ତି ଯେ ଏହି ଦୁର୍ବୃତ୍ତମାନେ ମାସ୍କ ପିନ୍ଧିବା ସହ ଅନ୍ୟ କୌଣସି ଭାଷାରେ କଥା ହେଉଥିଲେ ।

ଜଣେ ଲୁଟେରା କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଗୋଟିଏ ସ୍ଥାନରେ ଚୁପ୍ ହୋଇ ଠିଆ ହେବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ କର୍ମଚାରୀମାନେ ଭୟରେ ଚୁପଚାପ୍ ଠିଆ ହୋଇଥିବା ବେଳେ ଅନ୍ୟ ଲୁଟେରାମାନେ ପୁଳା ପୁଳା ଟଙ୍କା ଲୁଟିଥିଲେ । ଏହି ଲୁଟ୍ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କୌଣସି ଗ୍ରାହକ ସେଠାରେ ଉପସ୍ଥିତ ନଥିଲେ । ତେବେ ବ୍ୟାଙ୍କ ଅପରାହ୍ନ ୪ଟା ପରେ ଗ୍ରାହକଙ୍କ ଲାଗି ବନ୍ଦ ହେଉଥିବାରୁ ସେହି ସମୟରେ ଅନ୍ୟ କେହି ଉପସ୍ଥିତ ନଥିଲେ । ସେପଟେ ବ୍ୟାଙ୍କ ମ୍ୟାନେଜର ମଧ୍ୟ ଛୁଟିରେ ଥିଲେ । ପୂର୍ବରୁ ବ୍ୟାଙ୍କ ପରିସରରେ ୭ ଜଣ ସୁରକ୍ଷାକର୍ମୀ ରହିଥାନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଲୁଟ୍ ସମୟରେ ମୁଖ୍ୟ ଫାଟକରେ ଜଣେ ମାତ୍ର ସୁରକ୍ଷାକର୍ମୀ ରହିଥିବା ବେଳେ ଅନ୍ୟମାନେ ଚା’ ପିଇବା ଲାଗି ଯାଇଥିଲେ । ଲୁଟେରାମାନେ ହୁଏତ ଏହାର ସୁଯୋଗ ନେଇ ପଛ ଗେଟ୍ ଦେଇ ବ୍ୟାଙ୍କ ଭିତରେ ପଶିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking