ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ଡୋଡା ଜିଲ୍ଲାର ଅସାର ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି । ଏହି ଏନକାଉଣ୍ଟର ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ସାମ୍ନାକୁ ଆସିଛି। ଏବେ ୪ଜଣ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବା କୁହାଯାଉଛି। ସୂଚନା ମୁତାବକ, ଶିବଗଡ-ଅସାରର ଜଙ୍ଗଲିଆ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ମିଳିତ ସୁରକ୍ଷା ଦଳ ଦ୍ୱାରା ସେହି ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସେନା ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ଏହି ସମୟରେ ଜଣେ ଆର୍ମି କ୍ୟାପଟେନ ସହିଦ ହୋଇଥିଲେ। ଏପର୍ଯ୍ୟନ୍ତ ମୃତ ଆର୍ମି କ୍ୟାପଟେନଜଣକ କିଏ, ତାହା ସାମ୍ନାକୁ ଆସିନାହିଁ। ଆକ୍ରମଣ ପରେ ଆତଙ୍କବାଦୀମାନେ ଖସି ପଳାଇଥିବାରୁ ଏବେ ୪ଜଣଙ୍କୁ ଖୋଜିବା ଆରମ୍ଭ କରାଯାଇଛି।









