ଭୁବନେଶ୍ୱରରେ : ଆସନ୍ତା ୨୩ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ବିଏମସି ପରିସରଭୁକ୍ତ ସବୁ ଧର୍ମାନୁଷ୍ଠାନ ଅଗଷ୍ଟ ୨୩ରୁ ଖୋଲିବା ନେଇ ହୋଇଛି ଘୋଷଣା । ତେବେ ସଂପୂର୍ଣ୍ଣ କୋଭିଡ ନିୟମ ମଧ୍ୟରେ ଖୋଲିବ ଧର୍ମାନୁଷ୍ଠାନ । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଧର୍ମାନୁଷ୍ଠାନ ଭିତରେ ଓ ବାହାରେ ଛେପ ପକାଇବା ନିଷେଧ କରାଯାଇଛି । ବୟସ୍କ, ଗର୍ଭବତୀ ବା ୧୮ ବର୍ଷରୁ କମ୍ ବୟସ୍କଙ୍କୁ ପ୍ରବେଶ ବାରଣ କରାଯାଇଛି । ପୂଜକମାନେ କୋଭିଡ ନେଗେଟିଭ ବା ୨ ଡୋଜ ଟିକା ନେଇଥିବା ଜରୁରୀ । ୨୫ରୁ ଅଧିକ ଭକ୍ତଙ୍କ ଏକାଠି ଦର୍ଶନ ମନା । ଛେପ ପକାଇବା ଓ ଗୁଟଖା ଖାଇବା ଉପରେ ରୋକ ଲଗାଯାଇଛି । ଜାରି ହୋଇଥିବା ଏସ୍ଓପି ମୁତାବକ, ୨୩ ତାରିଖରୁ ବିଭିନ୍ନ ମନ୍ଦିର ସହ ଧର୍ମାନୁଷ୍ଠାନକୁ ପ୍ରବେଶ ପାଇଁ ସର୍ବସାଧାରଣଙ୍କୁ ଅନୁମତି ମିଳିବ । କୌଣସି ମନ୍ଦିରର ଗର୍ଭଗୃହ ପର୍ଯ୍ୟନ୍ତ ପ୍ରବେଶ କରିବା ପାଇଁ ସାଧାରଣ ଭକ୍ତଙ୍କୁ ସୁଯୋଗ ମିଳିବ ନାହିଁ । ଏକ ନିର୍ଦ୍ଧାରିତ ସ୍ଥାନରେ ଛିଡ଼ା ହୋଇ ଭକ୍ତମାନେ ଦର୍ଶନ କରିବାକୁ ସୁଯୋଗ ପାଇବେ । କୌଣସି ଭକ୍ତ ଠାକୁରଙ୍କ ପାଖରେ ଭୋଗ ଲାଗି କରିପାରିବେ ନାହିଁ । ବାହାର ଭୋଗ ମନ୍ଦିର ଭିତରକୁ ନେବା ମନା ହୋଇଛି । କେବଳ ଦର୍ଶନ କରିବେ ।
ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର କଟକଣା ରହିଛି । ଏକ ସମୟରେ ସିଂହଦ୍ୱାରରୁ ଆଡ଼କାଠ ପର୍ଯ୍ୟନ୍ତ ସର୍ବାଧିକ ୧୦୦ ଜଣ ଯାତ୍ରୀଙ୍କୁ ରହିବାକୁ ଅନୁମତି ମିଳିବ । ଅନ୍ୟ ମନ୍ଦିର କିମ୍ବା ମସଜିଦ୍ରେ ସର୍ବାଧିକ ୨୫ ଜଣଙ୍କୁ ପ୍ରବେଶ ଅନୁମତି ମିଳିବ ।
ଉଲ୍ଲଂଘନକାରୀ ଧର୍ମାନୁଷ୍ଠାନର ଖୋଲିବା ଅନୁମତି ପ୍ରତ୍ୟାହାର କରିବ ବିଏମସି । ସଂପ୍ରତି, କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ କାରଣରୁ ପ୍ରାୟ ୩ ମାସ ଧରି ବନ୍ଦ ରହିଛି ରାଜ୍ୟର ସବୁ ଧର୍ମାନୁଷ୍ଠାନ । କରୋନା ସଂକ୍ରମଣରେ ହ୍ରାସ ପରେ ରାଜ୍ୟ ସରକାର ନିକଟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।